ଢେଙ୍କାନାଳ ଅଫିସ, ୧୫।୭: ସଂସ୍କାର ହେଉଛି ଶିକ୍ଷାର୍ଥୀଙ୍କ ଆଭୂଷଣ। ଉଭୟ ଅନୁକୂଳ ଏବଂ ପ୍ରତିକୂଳ ପରିବେଶରେ ଛାତ୍ରୀଛାତ୍ରମାନେ ସକାରାତ୍ମକ ମନୋଭାବ ପୋଷଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହା ହିଁ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ରାସ୍ତା ଦେଖାଇବ। ଭଲ ମଣିଷ ହୋଇ ଅନୁଷ୍ଠାନ ଏବଂ ଅଞ୍ଚଳର ଗୌରବ ବଢ଼ାଇଲେ ଛାତ୍ର ଜୀବନର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହେବ ବୋଲି କହିଛନ୍ତି ଢେଙ୍କାନାଳ ଏମ୍ପି ମହେଶ ସାହୁ। ଓଡ଼ାପଡ଼ା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହର ରବିବାର ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏମ୍ପି ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।
ମୁଖ୍ୟବକ୍ତା ଭାବେ ଓପିଏସ୍ ମହାବିଦ୍ୟାଳୟର ଅଧ୍ୟାପକ ଗୁରୁଚରଣ ରାଉତରାୟ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଇଷ୍ଟକୋଷ୍ଟ ରେଲୱେ ଏଜିଏମ୍ ସୋମନାଥ ସାହୁ, ନାଲ୍କୋ ସିପିସିର ଇଂ. ସୁଧାକର ବେହେରା, ପୁରାତନ ଛାତ୍ର ସଂସଦର ସଭାପତି ଡ. ନୃସିଂହ ଚରଣ ନାୟକ, ସମ୍ପାଦକ ରବିନାରାୟଣ ମହାରଣା ପ୍ରମୁଖ ମଞ୍ଚାସୀନ ରହି ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ରଥ, ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ସାହୁ, ଅବନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମ ଅଧିବେଶନରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।
ଦ୍ୱିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଉପବାଚସ୍ପତି ରଜନୀକାନ୍ତ ସିଂ, ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋମବାର ଏହାର ଉଦ୍ଯାପନୀ ଦିବସ ରହିଛି।