ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଟ୍ରେନ୍ ଟିକେଟରେ ସ୍ଥାନ ପାଇଲା ଓଡ଼ିଆ ଭାଷା। ଏଣିକି ଇଂଲିଶ, ହିନ୍ଦୀ ସହ ଓଡ଼ିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ୍ ଟିକେଟ ରାଜ୍ୟର ୩୧୭ଟି ଷ୍ଟେଶନରେ ଉପଲବ୍ଧ ହେବ। ଗୁରୁବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ରେଳଷ୍ଟେଶନରେ ଏହାର ଶୁଭାରମ୍ଭ କରିଛନ୍ତି। ସେହିଭଳି ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ପାଇଁ ଭାରତୀୟ ରେଳପଥ ଉଦ୍ୟମ ଆରମ୍ଭ କରିଛି। ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ର ବାହାର ପାର୍ଶ୍ୱକୁ ଚିତ୍ରିତ କରାଯାଇ ସେଥିରେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା, ମନ୍ଦିର, ପର୍ଯ୍ୟଟନସ୍ଥଳୀ, ପ୍ରାକୃତିକ ସମ୍ପଦ ଆଦି ସ୍ଥାନିତ କରାଯାଇଛି। ଏହାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉଦ୍ଘାଟନ କରିଛନ୍ତି। ରାଜଧାନୀ ଏକ୍ସପ୍ରେସର ୩ ରେକ୍ରେ ଏହି ଚିତ୍ର ପ୍ରଦର୍ଶନ କରିବା ପାଇଁ ନାଲ୍କୋ ପୂର୍ବତଟ ରେଳପଥ ସହ ଚୁକ୍ତି କରିଛି। ଏଥିପାଇଁ ବିଜ୍ଞାପନ ଖର୍ଚ୍ଚ ଆକାରରେ ୩ କୋଟି ଟଙ୍କା ପ୍ରଦାନ କରିବ ନାଲ୍କୋ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭା ସଦସ୍ୟ ରଘୁନାଥ ମହାପାତ୍ର, ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପ୍ରବନ୍ଧକ ଶଶିକାନ୍ତ ସିଂ ପ୍ରମୁଖ ଅତିଥି ଯୋଗଦେଇଥିଲେ।