ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା

ବାଲେଶ୍ୱର ଅଫିସ, ୧୦।୪-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ ରହିଛି। ଏହି ସମୟକୁ କିପରି ସଦୁପଯୋଗ କରାଯାଇପାରିବ ତାହାକୁ ନେଇ ବିଶିଷ୍ଟ ଶିଳ୍ପୀ କେଶୁ ଦାସ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଓଡ଼ିଆ ବର୍ଣ୍ଣମାଳାଗୁଡ଼ିକୁ ନେଇ ସେ ସୁନ୍ଦର ସୁନ୍ଦର କାର୍ଟୁନ ତିଆରି କରୁଛନ୍ତି। ଡ୍ରଇଂ ଆସୁ ନ ଥିବା ଛୋଟ ବଡ଼ ସମସ୍ତେ ଏଥିରୁ ସହଜରେ ଶିକ୍ଷାଲାଭ କରିପାରିବେ। ଲକ୍‌ଡାଉନ ସମୟରେ ଏହାକୁ ଭିଡ଼ିଓଗ୍ରାଫି କରି ୟୁଟ୍ୟୁବ୍‌ ମାଧ୍ୟମରେ ଶିଳ୍ପୀ ଦାସ ଉପଲବ୍ଧ କରାଇଛନ୍ତି।
ଓଡ଼ିଆ ଭାଷା ପାଇଁ କିଛି କରିବା ଏବଂ ଓଡ଼ିଶାବାସୀଙ୍କ ସମୟକୁ ସଦ୍‌ବିନିଯୋଗ କରିବା ପାଇଁ ଶିଳ୍ପୀ ଦାସ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ଆଗ୍ରହୀ ସମସ୍ତେ ସାମିଲ ହୋଇ ତାଙ୍କ ଦ୍ୱାରା ପ୍ରସ୍ତୁତ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପଲୋଡ୍‌ ହୋଇଥିବା ଭିଡ଼ିଓକୁ ଦେଖିପାରିବେ। ସେ ପ୍ରତିଦିନ ଦୁଇଟି ଓଡ଼ିଆ ଅକ୍ଷରକୁ ନେଇ ‘ଓଡ଼ିଆ ଅକ୍ଷରରେ କାର୍ଟୁନ୍‌ ଶିକ୍ଷା’ ନାମକ ଏକ ଭିଡ଼ିଓ ଅପଲୋଡ୍‌ କରୁଛନ୍ତି। ଏହାକୁ ପରିବାରର ସମସ୍ତେ ଚାହଁିଲେ ସହଜରେ ଶିଖିପାରିବେ। ପୃଥିବୀର ସବୁ ଅକ୍ଷର ମଧ୍ୟରେ ସୁନ୍ଦର ଅକ୍ଷର ହେଉଛି ଓଡ଼ିଆ। ଏହି ସୁନ୍ଦର ଅକ୍ଷରକୁ ଲେଖିବା ହଁି ଏକ ଚିତ୍ର। ତେଣୁ ଓଡ଼ିଆ ଅକ୍ଷର ଯିଏ ଶିଖିଛନ୍ତି, ସେମାନେ ଜଣେ ଚିତ୍ରକର। ସୁନ୍ଦର ଅକ୍ଷର ମଧ୍ୟରେ ମଧ୍ୟ ବହୁ ଚିତ୍ର ଲୁଚି ରହିଛି। ପ୍ରତ୍ୟେକ ଓଡ଼ିଆଙ୍କୁ ଏହା ସୂଚାଇ ଦେଲେ ସୁନ୍ଦର ଡ୍ରଇଂ କରି ସେମାନେ ଖୁସି ହେବେ ବୋଲି ଦାସ କହିଛନ୍ତି। ବିଶ୍ୱର ସବୁ ଲିପି ମଧ୍ୟରେ ସୁବଠାରୁ ସୁନ୍ଦର ହେଉଛି ଓଡ଼ିଆ ଲିପି। ଏ ଲିପି ଭିତରେ ଲୁଚି ରହିଛି ସୁନ୍ଦର ଚିତ୍ର। ସେସବୁ ଏହି ଲକ୍‌ଡାଉନ୍‌ ସମୟରେ ସମସ୍ତେ ଶିଖିପାରିବେ। ବହୁ କଷ୍ଟରେ ନିଜ ଘରେ ଛୋଟ ଏକ ଷ୍ଟୁଡ଼ିଓ କରିଛନ୍ତି ଶିଳ୍ପୀ ଦାସ। ତାଙ୍କ ସାନପୁଅ ଅଙ୍କିତ ନିଜ ମୋବାଇଲରେ ଏହି ଅକ୍ଷର ଓ ଚିତ୍ର ଶିକ୍ଷାକୁ ଭିଡ଼ିଓ କରନ୍ତି। ପରେ ମୋବାଇଲରେ ଏଡ଼ିଟିଂ ମଧ୍ୟ କରାଯାଏ। ପ୍ରତିଦିନ ଏହି ସିରିଜ ଭିଡ଼ିଓ ପ୍ରସ୍ତୁତିରେ ତାଙ୍କ ପନତ୍ୀ କନକଲତାଙ୍କ ସହଯୋଗ ମଧ୍ୟ କରନ୍ତି। ଲକ୍‌ଡାଉନ ବେଳେ ପୁରା ପରିବାରକୁ ଶିଳ୍ପୀ ଦାସ ଏହି କାର୍ଯ୍ୟରେ ଲଗାଇଛନ୍ତି। ଫାଙ୍କା ସମୟକୁ ସୃଜନଶୀଳତାରେ ଭରିବା ତାଙ୍କର ଇଚ୍ଛା।
ପ୍ରକାଶଥାଉ କି, ୧୯୯୮ରେ ଏହି ପବ୍ଲିକେଶନ ଦ୍ୱାରା ଶିଳ୍ପୀ କେଶୁଦାସଙ୍କ ‘ଓଡ଼ିଆ ବର୍ଣ୍ଣମାଳା ସହ ସହଜ କାର୍ଟୁନ ଶିକ୍ଷା’ ପୁସ୍ତକ ପ୍ରକାଶ ପାଇଥିଲା। ସେଥିରେ ଛୋଟ କବିତା ସହ ‘ଅ ରୁ କ୍ଷ’ ପର୍ଯ୍ୟନ୍ତ ଓଡ଼ିଆ ଅକ୍ଷରରେ କାର୍ଟୁନ କରିବାର ଧାରା କୁହାଯାଇଥିଲା। ସେହି ପୁସ୍ତକର ଭିଡ଼ିଓଗ୍ରାଫି କରି ଲକ୍‌ଡାଉନ ସମୟରେ ୟୁଟ୍ୟୁବ୍‌ ମାଧ୍ୟମରେ ଶିଳ୍ପୀ ଦାସ ଉପଲବ୍ଧ କରାଇଛନ୍ତି।