ଡ. ପ୍ରଫୁଲ୍ଲ କୁମାର ସାହୁ
ଗ୍ରନ୍ଥସ୍ରଷ୍ଟାଙ୍କ ଜୟନ୍ତୀ ପାଳନ ହେବାର ବିଧି ବିଶ୍ୱବ୍ୟାପୀ ପ୍ରଚଳିତ। ମାତ୍ର ଓଡ଼ିଆ ଭାଗବତକୁ ଛାଡ଼ିଦେଲେ ପୃଥିବୀରେ ପ୍ରାୟ ଏମିତି କୌଣସି ଗ୍ରନ୍ଥ ନାହିଁ, ଯାହାର ଜନ୍ମ ଦିବସ ଅତି ଭକ୍ତି ଓ ଶ୍ରଦ୍ଧାର ସହିତ ପାଳନ କରାଯାଏ ପୁରପଲ୍ଲୀରେ।
ଆମ ପୁରାଣ ଶାସ୍ତ୍ର ଭିତରେ ଭାଗବତ ଶ୍ରେଷ୍ଠ। ସେଥିପାଇଁ ତାହା ମହାପୁରାଣ। ଏହି ମହାପୁରାଣର ମୂଳ ସଂସ୍କୃତ ରଚୟିତା ହେଉଛନ୍ତି ବ୍ୟାସଦେବ। ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଷାରେ ତା’ର ସରଳ ଭାବାନୁବାଦ କରିଛନ୍ତି, ଯେଉଁ ଅନୁପମ ଅନୁସୃଜନରେ ରହିଛି ଆପଣା ଭାବ, ଭାଷା ଓ ବିଷୟ ବିନ୍ୟାସର ମୌଳିକତା। ଏଥି ସହିତ ମୂଳ ସଂସ୍କୃତ ଭାଗବତର ଶ୍ରୀକୃଷ୍ଣ ବା ବିଷ୍ଣୁଙ୍କର ପର୍ଯ୍ୟାୟବାଚୀ ଭାବରେ ଓଡ଼ିଆ ଭାଗବତରେ ବାରମ୍ବାର ଉଲ୍ଲେଖ ହୋଇଛି ଶ୍ରୀଜଗନ୍ନାଥଙ୍କ ନାମ। (ନମସ୍ତେ ପ୍ରଭୁ ଜଗନ୍ନାଥ, ଯାର ଶରୀରୁ ଏ ଜଗତ।) ମହାପ୍ରଭୁ ଶ୍ରୀଜଗନ୍ନାଥ ସର୍ବମୟ ଓ ସର୍ବମାନ୍ୟ। ତାଙ୍କର ସର୍ବମାନ୍ୟତା ପ୍ରତିପାଦନ କ୍ଷେତ୍ରରେ ଭାଗବତ ଟୁଙ୍ଗି ପରମ୍ପରାର ଭୂମିକା ଅବର୍ଣ୍ଣନୀୟ। ଏହି ଟୁଙ୍ଗି ପରମ୍ପରାର ଜନକ ହେଉଛନ୍ତି ଅତିବଡ଼ୀ ଜଗନ୍ନାଥ ଦାସ। ସେ ତାଙ୍କ ଭାଗବତ ଗ୍ରନ୍ଥ ସହିତ ଶ୍ରୀଜଗନ୍ନାଥଙ୍କ ଲାବଣ୍ୟ ବିଗ୍ରହକୁ ସମନ୍ବିତ କରି ବସେଇ ଦେଲେ ଭାଗବତ ଟୁଙ୍ଗିରେ। ଫଳରେ ମହାପ୍ରଭୁଙ୍କ ବାଙ୍ମୟ ମୂର୍ତ୍ତିଜ୍ଞାନରେ ଭାଗବତ ପୋଥି ପୂଜା ପାଇବା ସହିତ ଭାଗବତ ଟୁଙ୍ଗି ପାଲଟିଗଲା ଏକ ଊର୍ଦ୍ଧ୍ୱଗ ଆଧ୍ୟାମତ୍ିକ ଚେତନା ଓ ସାମାଜିକ ସଂହତିର ପ୍ରାଣକେନ୍ଦ୍ର। ଭାଗବତ ପାଠକରି କେବଳ ଆଧ୍ୟାମତ୍ିକପ୍ରାଣ ହୋଇନି, ଏକ ଦାର୍ଶନିକ ଜାତିରେ ପରିଣତ ହୋଇପାରିଛି ଓଡ଼ିଆ ଜାତି।
ପଞ୍ଚଦଶ ଶତାବ୍ଦୀରେ ମାଟିର ମହାକବି ସାରଳା ଦାସ ସଂସ୍କୃତ ଭାଷାର ଅଖଣ୍ଡ ପ୍ରଭାବରୁ ଓଡ଼ିଆ ଭାଷାକୁ ମୁକ୍ତ କରିବା ନିମନ୍ତେ ପ୍ରତିଷ୍ଠିତ ପରମ୍ପରା ବିରୋଧରେ ସ୍ବର ଉତ୍ତୋଳନ ପୂର୍ବକ ରଚନା କରିଥିଲେ ବିପୁଳାୟତନ ବିଶିଷ୍ଟ ଗ୍ରନ୍ଥ ‘ମହାଭାରତ’। ତା’ର ଶହେବର୍ଷ ପରେ ଆମତ୍ପ୍ରକାଶ କରିଥିବା ଓଡ଼ିଆ ଭାଗବତ ଥିଲା ଓଡ଼ିଆ ସାହିତ୍ୟର ଅଦ୍ୱିତୀୟ ତତ୍ତ୍ୱମୟ ସର୍ଜନା, ଯାହାର ସରଳ ସାବଲୀଳ ଭାଷା ଓ ଭାବ ତଥା ମୌଳିକ ଉପମା ସାଧାରଣ ଜନତାଙ୍କ ବୋଧଗମ୍ୟ ହେବା ସହିତ ଏଥିରେ ପ୍ରବୋଧିତ ହେଲେ ସବୁ ବର୍ଗର ପାଠକ। ମାତ୍ର କବିଙ୍କର ଏହି ସଫଳତାକୁ ନେଇ ଆଦ ଖୁସି ହୋଇପାରି ନ ଥିଲେ ତକତ୍ାଳୀନ ଧର୍ମ ବେପାରୀମାନେ। ସ୍ବାର୍ଥପରତାର ବଶବର୍ତ୍ତୀ ହୋଇ ସେମାନେ ଓଡ଼ିଆର ଏହି ଆନୁବାଦିକ ବିସ୍ମୟକୁ ‘ତେଲି ଭାଗବତ’ ବୋଲି ଅଭିହିତ କରିବା ସହିତ କବିଙ୍କ ନିନ୍ଦାଗାନ କରିଥିଲେ ପ୍ରକାଶ୍ୟରେ। ଏଭଳି ବିରୋଧ ସତ୍ତ୍ୱେ କବିଙ୍କ ତତ୍ତ୍ୱମୟ ଆଧ୍ୟାମତ୍ିକ ସାର ସଂଗ୍ରହ ହେଲା ଏକ ସାଂସ୍କୃତିକ ଆନ୍ଦୋଳନର ଆଧାର। ଅନ୍ଧାର ଭବବନ୍ଧ ଅପସାରଣ ନ୍ୟାୟରେ ଖୋଲିଦେଲା ଲକ୍ଷଲକ୍ଷ ନିରକ୍ଷର ଜନତାଙ୍କ ଆଖି। ଆଦର ଓ ଆଧ୍ୟାମତ୍ିକତାର ଉଲ୍ଲାସ ମଧ୍ୟରେ ବିଶାଳ ଓଡ୍ରଖଣ୍ଡରେ ଦକ୍ଷିଣରୁ ଉତ୍ତର ଯାଏ ପ୍ରବାହିତ ହେଲା ଭାଗବତର ଭବ୍ୟ ଭାବ। ଏହାକୁ ଆହୁରି ଋଦ୍ଧିମନ୍ତ କରିଦେଲା ଶ୍ରୀଚୈତନ୍ୟଦେବଙ୍କ ଅତିବଡ଼ୀ ମନ୍ତ୍ର। ବାସ୍ତବରେ ଏହା ଏତେ ଲୋକପ୍ରିୟ ହେଲା ଯେ ସାରା ଓଡ଼ିଶାର ଘରେ ଘରେ ପ୍ରତିଷ୍ଠା ହେଲା ଭାଗବତ ଗାଦି। ଗାଁ-ଗାଁରେ ଗଢି ଉଠିଲା ଭାଗବତ ଟୁଙ୍ଗି।
ଭାଗବତ ଟୁଙ୍ଗି ଗୋଟେ ଗୋବରଲିପା ନୁଆଁଣିଆ ଚାଳଘର, ଅଥଚ ଏକ ଆଧ୍ୟାମତ୍ିକ ଉତ୍ତରଣ ଓ ସାମାଜିକ ସଂହତିର ପ୍ରାଣକେନ୍ଦ୍ର। ଶାନ୍ତି ଓ ସମର୍ପଣର ପବିତ୍ର ସ୍ଥଳ। ସଞ୍ଜ ନଇଁଲେ ଏଠି ଜଳିଉଠେ ପୋଲାଙ୍ଗ ତେଲର ଦୀପ। ଗୋସେଇଁଙ୍କ କଣ୍ଠରୁ ଭାସିଆସେ ‘ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ…’ ଆଦି ପଦ ପଂକ୍ତିର ସୁଲଳିତ ଆବୃତ୍ତି। ତେଲଲୁଣର ସଂସାର ଭିତରୁ ବାହାରି ଏଠିକି ଧାଇଁ ଆସେ କର୍ମକ୍ଳାନ୍ତ ମଣିଷ। ପିଲାଠାରୁ ବୁଢ଼ା ଯାଏ ସମସ୍ତଙ୍କ ଭିଡ଼ ଜମେ ଭାଗବତ ଟୁଙ୍ଗିରେ। ସରଳ ଭାବ ଓ ଭାଷାର ସମୁଚିତ ରସାୟନ ତଥା ନବାକ୍ଷରୀ ବୃତ୍ତ ଓ ଗୁଜ୍ଜର ରାଗର ଅନୁକରଣରେ ଭକ୍ତ ହୁଏ ସମ୍ମୋହିତ। ନିରକ୍ଷର ଜନତା ବି ଶୁଣି ଶୁଣି ମନେ ରଖେ ଭାଗବତର ଅମୃତବାଣୀ।
ଭାଗବତର କଥାବସ୍ତୁ ହେଉଛି ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ଓ କୀର୍ତ୍ତିରାଜି। ଏଥିରେ ଅନେକ କାହାଣୀର ଅବତାରଣା ହୋଇଛି ଯାହାର ମୂଳଲକ୍ଷ୍ୟ ନିଗୂଢ ଧର୍ମତତ୍ତ୍ୱର ସହଜ ବିଶ୍ଳେଷଣ। ତା’ର ପ୍ରତ୍ୟେକ ପଦ ଶୁଦ୍ଧ ଜୀବନଚର୍ଯ୍ୟାର ଏକ ଏକ ମନ୍ତ୍ର, ଯେଉଁ ମନ୍ତ୍ରର ଭକ୍ତି, ଶକ୍ତି ଓ ଶ୍ରଦ୍ଧାଶୀଳ ଅନୁରକ୍ତି ନେଇ ଜନତା ଯୋଡ଼େ ଜଗନ୍ନାଥ ମହାପ୍ରଭୁଙ୍କ ସହ ସମ୍ପର୍କ। ସାମାଜିକ ରୀତି, ନୀତି, ପର୍ବପର୍ବାଣି, ଜନ୍ମଜାତକ, ବିବାହବ୍ରତ ଆଦିରେ ଖୋଜା ହୁଅନ୍ତି ସର୍ବମଙ୍ଗଳ ଜଗନ୍ନାଥ। ସେହି ମହାପ୍ରଭୁଙ୍କର ପ୍ରତୀକ ହେଉଛି ଭାଗବତ ପୋଥି। ଏଥିରେ ଭଗବାନଙ୍କ ଲୀଳା ବର୍ଣ୍ଣନା ହୋଇଥିବାରୁ ଏହାର ପଠନ ଓ ଶ୍ରବଣ ହିଁ ଭଗବତ୍ ପ୍ରାପ୍ତିର ପରମ ମାର୍ଗ। ଏହି ବିଶ୍ୱାସ ନେଇ ବ୍ୟକ୍ତିର ଆସନ୍ନ ମୃତ୍ୟୁବେଳେ ତାକୁ ଆମତ୍ୀୟସ୍ବଜନ ଶୁଣେଇ ଦିଅନ୍ତି ଅଧ୍ୟାୟେ ଭାଗବତ। ଭାଗବତ ପାଠ ହେଲେ ଗ୍ରାମରୁ ଦୂର ହୁଏ କାଳ ଭୟ। ତେଣୁ ଗ୍ରାମରେ ବିସୂଚିକା ବ୍ୟାପିଲେ ଆୟୋଜିତ ହୁଏ ହରିହାଟ ଓ ଭାଗବତ ପାଠ। ଭାଗବତ ଆମ ଜୀବନ ସଂସ୍କାର ଓ ବାସ୍ତବ ଧର୍ମ ସାଧନାର ଏକ ଆଚାର ସଂହିତା। ଗାଁରେ ବାଦ ବିସମ୍ବାଦ ହେଲେ ଭାଗବତ ଟୁଙ୍ଗି ନିର୍ବାହ କରୁଥିଲା ଲୋକ ନ୍ୟାୟାଳୟର ଭୂମିକା। ଲୋକପ୍ରିୟତା ଦୃଷ୍ଟିରୁ ଓଡ଼ିଆ ଭାଗବତ ଥିଲା ଓଡ଼ିଶାର ଭାଷାଭିତ୍ତିକ ନକ୍ସା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବେଳେ ଓଡ଼ିଶାର ସୀମା ନିର୍ଦ୍ଧାରଣ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଉକତ୍ଳଗୌରବ ମଧୁସୂଦନ ଦାସ ଇଂରେଜ ସରକାରଙ୍କୁ କହିଥିଲେ- ‘ଯେଉଁ ଅଞ୍ଚଳ ପର୍ଯ୍ୟନ୍ତ ଲୋକେ ଜଗନ୍ନାଥ ଦାସଙ୍କ ଭାଗବତ ପଢ଼ନ୍ତି ସେ ପର୍ଯ୍ୟନ୍ତ ପରିବ୍ୟାପ୍ତ ଓଡ଼ିଶାର ସୀମା।’
ଓଡ଼ିଆ ଭାଗବତ ଓଡ଼ିଆ ଜନମାନସରେ କେବଳ ଏକ ପବିତ୍ର ଧର୍ମଗ୍ରନ୍ଥ ନୁହେଁ, ଏହା ଓଡ଼ିଆ ଭାବଭୂମି କର୍ଷଣ ତଥା ଓଡ଼ିଆ ଜାତିର ଅସ୍ମିତା ନିର୍ମାଣର ଏକ ନିରବ ବିପ୍ଳବ। ଓଡ଼ିଆ ଜାତିର ଜୀବନ ବେଦ। ଆଧ୍ୟାମତ୍ିକ ଭାବନା, ଜୀବନ ଦର୍ଶନ ଓ କବିତ୍ୱ ସହିତ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏହା ଯୋଡ଼ି ଦେଇଛି ଏକ ନୂଆ ଅଧ୍ୟାୟ। ଭାଗବତର ଭାଷା କେବଳ ମାନକ ସିଦ୍ଧ ନୁହେଁ, ତାହା ଆଣବିକ କ୍ଷମତାସମ୍ପନ୍ନ। ଅଳ୍ପ ଶବ୍ଦରେ ଗଭୀର ତତ୍ତ୍ୱ ଚେତନାକୁ ପ୍ରକାଶ କରିବା ହିଁ ତା’ର ବିଶେଷତ୍ୱ। ଅର୍ଥାତ୍ ଓଡ଼ିଆ ଭାଷାକୁ ପରିଚ୍ଛନ୍ନ କରି ଲେଖିବାର ଯେଉଁ ମାର୍ଜ୍ଜିତ ପ୍ରୟାସ ହୋଇଥିଲା, ତା’ର ଅମୃତମୟ ଫଳ ହେଉଛି ଭାଗବତର କାବ୍ୟ ଭାଷା।
ଭାଗବତର ଗଭୀର ତତ୍ତ୍ୱ ଭିତରେ ପ୍ରବେଶ ଅଭିପ୍ରାୟ ନେଇ ଓଡ଼ିଆଙ୍କ ଭିତରେ ପ୍ରକାଶ ପାଇଲା ମାତୃଭାଷା ପଠନର ପ୍ରବଳ ଉତ୍ସାହ। ଗାଁ ଗାଁରେ ଖୋଲିଲା ଚାଟଶାଳୀ। ବଢ଼ିଲା ସାକ୍ଷରତା ହାର। ନାରୀ ଶିକ୍ଷାର ବି ପ୍ରସାର ଘଟିଲା। ଏହି କାରଣରୁ ଏକଦା ଓଡ଼ିଶାର ସାକ୍ଷରତା ହାର ବଙ୍ଗଳାକୁ ଟପିଯାଇଥିବାରୁ ଭାଗବତର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି କଲିକତା ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ପ୍ରଖ୍ୟାତ ବଙ୍ଗୀୟ ଆଲୋଚକ ଡ. ବିଜୟଚନ୍ଦ୍ର ମଜୁମଦାର। ଭାଗବତ ରଚନା କରି ଅତିବଡ଼ୀ ଜଗନ୍ନାଥ ଦାସ ଦେଶବାସୀଙ୍କର ଅଶେଷ ଉପକାର ସାଧନ କରିଛନ୍ତି ବୋଲି ଏକ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରିଥିଲେ ତଦାନୀନ୍ତନ ବିଦ୍ୟାଳୟ ପରିଦର୍ଶକ ଭୂଦେବ ମୁଖାର୍ଜୀ।
ଏକଦା ଭାଗବତ ଥିଲା ଚାହାଳିର ପ୍ରଧାନ ପାଠ୍ୟ ପୁସ୍ତକ। ‘ବିଦ୍ୟା ଭାଗବତା ବଧିଃ’ ନ୍ୟାୟରେ ଭାଗବତ ଜ୍ଞାନରୁ ପରୀକ୍ଷିତ ହେଉଥିଲା ଜଣେ ବିଦ୍ୱାନର ବିଦ୍ବତ୍ତା। ଭାଗବତ ପଢି ଶିଖିଲେ ଶେଷ ହେଉଥିଲା ଚାହାଳି ପାଠ। ଭାରତୀୟ ସଂସ୍କୃତିରେ ଯାହା ମୂଳ ବା ମୂଲ୍ୟବାନ, ତାହା ହିଁ ଭାଗବତର ସାର ସଂଗ୍ରହ। ମୁନିଋଷିମାନଙ୍କ ସୂକ୍ଷ୍ମତମ ଚିନ୍ତନର ନିର୍ଯାସ। ତା’ର ପ୍ରତ୍ୟେକଟି ପଦ ଓ ପାଦ ଶୁଦ୍ଧ ଜୀବନବୋଧର ଏକ ଏକ ମନ୍ତ୍ର। ସକଳ ଦେହେ ନାରାୟଣ ଭାବନା ଭିତରେ ତୋଳି ଧରେ ଏକ ବିଶ୍ୱବାଦୀ ଦର୍ଶନର ଫଳକ। ବିଦ୍ୟାର୍ଥୀର ଚରିତ୍ର ଗଠନ ତଥା ଏକ ସୁସ୍ଥ ସୁନ୍ଦର ସମାଜ ନିର୍ମାଣ ନିମନ୍ତେ ଭାଗବତ ଭିତରେ ପୂରିରହିଛି ଅସରନ୍ତି ଉପାଦାନ। ତା’ର ପଦାବଳୀ କେବଳ ସବୁ ଯୁକ୍ତି ଓ ବିତର୍କର ଚରମ ସିଦ୍ଧାନ୍ତ ନୁହେଁ, ସେଥିରେ ନିହିତ ସମସ୍ୟା ସମାଧାନର ସହଜ ପନ୍ଥା। ବିଷାଦରୁ ନିବୃତ୍ତି ପାଇଁ ଠୋସ୍ ଉପଶମ।
ବିଜୁପଟ୍ଟନାୟକ ନଗର, ଭଦ୍ରକ, ମୋ- ୯୪୩୮୮୫୫୦୮୮