କାମାକ୍ଷାନଗର, ୧୦।୧୧(ଡି.ଏନ.ଏ.)-କଳିଙ୍ଗ ଯୁଦ୍ଧକୁ ବାଦ୍ ଦେଲେ ଓଡ଼ିଶା ଇତିହାସ ଅସମ୍ପୂର୍ଣ୍ଣ। ଆଜି ବି ଓଡ଼ିଆ ଜାତିର ବୀରତ୍ୱ କଥା ବଖାଣେ କଳିଙ୍ଗ ଯୁଦ୍ଧ। ଅତୀତର ସ୍ମୃତିଚାରଣ କଲେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାଟ ଖୋଲିଯାଏ। ଏଥିରୁ ଛାତ୍ରୀଛାତ୍ରଙ୍କ ଅନେକ କିଛି ଶିଖିବାର ଅଛି ବୋଲି କହିଛନ୍ତି ଭୁବନ ବ୍ଲକ ଜିରାଳ କଲେଜ ଅଧ୍ୟକ୍ଷ ଦ୍ୱିଜରାଜ ବିଶ୍ୱାଳ। ଶିକ୍ଷାନୁଷ୍ଠାନର ଇତିହାସ ବିଭାଗ ପକ୍ଷରୁ ଶନିବାର ଆୟୋଜିତ ‘କଳିଙ୍ଗ ଯୁଦ୍ଧର ମହତ୍ୱ ଓ ଐତିହାସିକ ପୁନରାବଲୋକନ’ ସମ୍ପର୍କିତ ଆଲୋଚନଚକ୍ରରେ ଅଧ୍ୟକ୍ଷତା କରି ସେ ଏହା କହିଥିଲେ।
ବିଭାଗୀୟ ମୁଖ୍ୟ ଅନନ୍ତ କୁମାର ସାହୁ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଉପରେ ସମ୍ୟକ ବିବରଣୀ ଦେଇଥିଲେ। ଅଧ୍ୟାପକ ଅଭୟ କୁମାର ସାହୁ, ଅଧ୍ୟାପିକା ବିଷ୍ଣୁପ୍ରିୟା ତ୍ରିପାଠୀ କଳିଙ୍ଗ ଯୁଦ୍ଧର ଇତିହାସ ସମ୍ପର୍କରେ ଆଲୋଚନା କରିଥିଲେ। ଛାତ୍ରୀ ନିବେଦିତା ବେହେରା, ରଶ୍ମିତା ସାହୁ, ମୋହିନୀ ମଞ୍ଜରୀ ସାହୁ, ସ୍ବପ୍ନପ୍ରଭା ତ୍ରିପାଠୀ ସ୍ବରଚିତ ସନ୍ଦର୍ଭ ପାଠ କରିଥିବାବେଳେ ଅଧ୍ୟାପିକା ଦେବଜାନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅନୁଷ୍ଠିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ଅଧ୍ୟାପିକାଅଧ୍ୟାପକ ଏବଂ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।