ଓଡ଼ିଆ ଧାରାବାହିକରୁ ୨ୟ ଇନିଂସ ଆରମ୍ଭ କରିବେ ରଚନା ବାନାର୍ଜୀ

ଭୁବନେଶ୍ୱର, ୨୫-୯(ବ୍ୟୁରୋ): ଓଡ଼ିଆ ଏବଂ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଚିରସବୁଜ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଟେଲିଭିଜନ୍‌ ପରଦାରେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଆ ଦର୍ଶକଙ୍କ ପାଇଁ ପରଦାକୁ ଫେରିବେ ରଚନା। ସିନେମାରେ ନୁହେଁ, ବରଂ ଏକ ଓଡ଼ିଆ ମେଗା ଧାରାବାହିକରେ ସେ ନଜରକୁ ଆସିବେ। ‘ଜୀ ସାର୍ଥକ’ରେ ପ୍ରତି ସୋମବାରରୁ ଶନିବାର ରାତି ୮ଟା ୩୦ରେ ପ୍ରସାରିତ ମେଗା ଧାରାବାହିକ ‘ସର୍‌ଗମ୍‌’ରେ ରଚନାଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏକ ସଂଗୀତଭିିତ୍ତିକ ପ୍ରେମ କାହାଣୀକୁ ନେଇ ଆଧାରିତ ଧାରାବାହିକ ‘ସର୍‌ଗମ୍‌’ ମାଧ୍ୟମରେ ରଚନାଙ୍କର ଏହି ଏଣ୍ଟ୍ରି ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ୧୯୯୪ରୁ ୨୦୦୯ ପର୍ଯ୍ୟନ୍ତ ଦୀର୍ଘ ୧୫ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନିଜ କବ୍‌ଜାରେ ରଖିଥିବା ରଚନାଙ୍କ ଏକ ନିର୍ଦ୍ଦିଷ୍ଟ ପ୍ରଶଂସକ ଗୋଷ୍ଠୀ ଥିବାବେଳେ ତାଙ୍କର ଏହି ଦ୍ୱିତୀୟ ଇନିଂସକୁ ନେଇ ପ୍ରଶଂସକଙ୍କ ମହଲରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ରଚନାଙ୍କୁ ନେଇ ସୁଟ୍‌ ହୋଇଥିବା ‘ସର୍‌ଗମ୍‌’ର ପ୍ରୋମୋ ନିକଟରେ ରିଲିଜ୍‌ ହୋଇସାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରଚନା କେବଳ ଏଥିରେ ଅଭିନୟ କରିବେନି, ବରଂ ଜବରଦସ୍ତ ଡାଏଲଗ୍‌ କହିବା ସହ ସ୍କ୍ରିନ୍‌ରେ ଗୀତ ମଧ୍ୟ ଗାଇବେ। ବର୍ତ୍ତମାନର ଯୁବପିଢିର କଳାକାରଙ୍କୁ ଦେଖି ନିଜର କିଛି ପୁରୁଣା ସ୍ମୃତି ତାଜା ହେଇଯାଇଥିବା ରଚନା କହିଥିବାବେଳେ ଏତେ ଦିନ ପରେ ପୁଣି ଓଡ଼ିଆ ଦର୍ଶକଙ୍କ ପାଖକୁ ଫେରୁଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।

Share