ଓଡ଼ିଆ ପୁଅ ୟଶ୍‌ଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’

ଭୁବନେଶ୍ୱର, ୨୩ା୧(ବ୍ୟୁରୋ): ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ୟଶ୍‌ ମିଶ୍ର। ଭୁବନେଶ୍ବର ବାସିନ୍ଦା ୟଶ୍‌ଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ପ୍ରଦାନ କରିଛନ୍ତି। ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ୟଶ୍‌ଙ୍କ ସମେତ ଅନ୍ୟ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଅଧ୍ୟୟନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୟଶ୍‌ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ତାଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ମେଡାଲ, ଟାବଲେଟ୍‌, ପ୍ରମାଣପତ୍ର ଏବଂ ଏକ ପ୍ରଶଂସାପତ୍ର ମିଳିଛି। ଡିଏଭି ଚନ୍ଦ୍ରଶେଖରପୁରରେ ପଢ଼ା ସାରି ୟଶ୍‌ ଏବେ ରାଜସ୍ଥାନ କୋଟାର ସାର୍‌ ପଦମ୍‌ପାଟ୍‌ ସିଙ୍ଘାଣିଆ ସ୍କୁଲରେ ପଢ଼ୁଛନ୍ତି। ସେ ପୂର୍ବରୁ ସିଙ୍ଗାପୁର ଏସିଆନ୍‌ ମ୍ୟାଥେମେଟିକ୍ସ ଅଲିମ୍ପିଆଡ୍‌ରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିଭିନ୍ନ ପ୍ରତିଯୋଗିତାରେ ୪୦୦ ପୁରସ୍କାର ପ୍ରାପ୍ତ କରିଥିବାବେଳେ ୨୦୦ ପଦକ ହାସଲକରି ସାରିଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ୪୯ଜଣଙ୍କୁ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ଗ୍ରହଣ ଅବସରରେ ରାଷ୍ଟ୍ରପତିଙ୍କ ସହ ୟଶ୍‌। ପ୍ରଦାନ କରାଯାଇଛି। ସମାଜସେବା, କଳା, ସଂସ୍କୃତି ଓ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ଓ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଛାତ୍ରୀଛାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଥାଏ। ୟଶ୍‌ଙ୍କ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share