ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶିକା ହେଲେ ଭାଗ୍ୟଲିପି ମଲ୍ଲ : ବିଜୟ ଜେନା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର, ୩୧ା୩ (ବ୍ୟୁରୋ) – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଭାବେ ରାଜ୍ୟ ସଂଗ୍ରହାଳୟର କ୍ୟୁରେଟର ଡ. ଭାଗ୍ୟଲିପି ମଲ୍ଲଙ୍କୁ ନିଯୁକ୍ତି ମିଳିଛି। ସେ ରାଜ୍ୟ ସଂଗ୍ରହାଳୟ ସହ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିଭଳି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାବେ ମହାବିଦ୍ୟାଳୟର ଅଧ୍ୟାପକ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ଡ. ବିଜୟ କୁମାର ଜେନାଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ଉଭୟ ପଦବୀରେ ଥିବା ଡ. ତମସାରାଣୀ ଦାସମହାପାତ୍ର ସୋମବାର ଅବସର ଗ୍ରହଣ କରିଥିବାରୁ ବିଭାଗ ପକ୍ଷରୁ ଏହି ନୂଆ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ରାଜ୍ୟ ଅଭିଲେଖାଗାର ଅଧୀକ୍ଷିକା ଦାୟିତ୍ୱ ତୁଲାଇଥିବା ଡ. ମଲ୍ଲ ସ୍ତମ୍ଭ ସହ ଏକାଧିକ ପୁସ୍ତକ ରଚନା କରିଛନ୍ତି। ଆଗାମୀ ଦିନରେ ସେ ଓଡ଼ିଆଭାଷା ପ୍ରତିଷ୍ଠାନ ଦ୍ୱାରା ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ସହ ସରକାରଙ୍କ ସହଯୋଗକ୍ରମେ ଓଡ଼ିଆ ଭାଷାର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ୨୦୦୨ ଡିସେମ୍ବର ୨୬ରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ କଣ୍ଠ ସଙ୍ଗୀତ ବିଭାଗର ଅଧ୍ୟାପକ ଭାବେ ଶିକ୍ଷାଦାନ କରୁଥିବା ଗୁରୁ ଡ. ବିଜୟ କୁମାର ଜେନା ଓଡ଼ିଶୀ କଣ୍ଠ ସଙ୍ଗୀତ ଜଗତରେ ଜଣେ ପରିଚିତ ଚେହେରା। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି। ସୋମବାର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷଭାବେ ନିଯୁକ୍ତ ହେବାପରେ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଏଭଳି ଏକ ଗୁରୁଦାୟିତ୍ୱକୁ ସଫଳ ଭାବେ ନିର୍ବାହ କରିବେ ବୋଲି କହିଛନ୍ତି।

Share