ଓଡ଼ିଆ ଯବାନଙ୍କ ମରଶରୀରକୁ ଅସମ୍ମାନ

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଦେଶର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଓଡ଼ିଆ ଯବାନ ପ୍ରବୀର ନାୟକଙ୍କୁ ଅସମ୍ମାନିତ କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତାଙ୍କ ମରଶରୀର ବିମାନ ବନ୍ଦରରେ ପହଞ୍ଚିବା ପରେ ମିଳି ନ ଥିଲା ଗାର୍ଡ ଅଫ୍‌ ଅନର। ଏପରି କି ଗାଁକୁ ନେବାକୁ ହୋଇଥିଲା ଘରୋଇ ଆମ୍ବୁଲାନ୍ସ ବ୍ୟବସ୍ଥା। ପୁଅର ବଳିଦାନକୁ ନେଇ ପରିବାର ଲୋକେ ଗର୍ବ କରୁଥିବାବେଳେ ନିଜ ଜନ୍ମମାଟିରେ ଏଭଳି ଅସମ୍ମାନକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ପରି ତାଙ୍କ ପୁଅକୁ ମଧ୍ୟ ଗାର୍ଡ ଅଫ୍‌ ଅନର ଦିଆଯିବା ସହ ଖୋଲା ସେନା ଗାଡ଼ିରେ ଗାଁକୁ ନେବାକୁ ଜିଦ୍‌ କରିଥିଲେ। ଏହାକୁ ନେଇ ବୁଧବାର ଭୁବନେଶ୍ୱର ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା ଅସ୍ବାଭାବିକ ପରିସ୍ଥିତି।
ପ୍ରବୀରଙ୍କ ଘର ଯାଜପୁର ଜିଲା କଚେରୀ ଗ୍ରାମରେ। ସେ ଆସାମ ରାଇଫଲରେ ଗନମ୍ୟାନ ଭାବେ ମିଜୋରାମର ସଚଚିପ୍‌ ଜିଲାର ଚାଇନା ସୀମା ନିକଟରେ କାର୍ଯ୍ୟରତ ଥିବାବେଳେ ତାଙ୍କର ରବିବାର ମୃତ୍ୟୁ ହୋଇଥିଲା। ବୁଧବାର ପୂର୍ବାହ୍ନରେ ପ୍ରବୀରଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ଲା। ହେଲେ ସେଠାରେ ପ୍ରବୀରଙ୍କ ପାଇଁ ସରକାରଙ୍କ ପକ୍ଷରୁ ସେପରି କୌଣସି ବ୍ୟବସ୍ଥା ହୋଇ ନ ଥିଲା। ଗାଁକୁ ନେବା ପାଇଁ ଏକ ଘରୋଇ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଥିବା ଦେଖି ପରିବାର ଲୋକେ ପ୍ରତିବାଦ କରିଥିଲେ। ରାଜ୍ୟ ପୋଲିସର କେତେଜଣ ଅଧିକାରୀ ସେମାନଙ୍କୁ ବୁଝାଶୁଝା କରି ନିରାଶ ହେବା ପରେ ଶେଷରେ ଏକ ମିଲିଟାରି ଗାଡି ଯୋଗାଇ ଦିଆଯାଇଥିଲା। ଉକ୍ତ ଗାଡ଼ିରେ ପ୍ରବୀରଙ୍କ ମରଶରୀରକୁ ଯାଜପୁରସ୍ଥିତ ଜନ୍ମମାଟିକୁ ତାଙ୍କ ଜନ୍ମମାଟିକୁ ନିଆଯାଇଥିଲା। କଚେରି ଗ୍ରାମରେ ପରିବାର ଓ ଗ୍ରାମବାସୀ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ସେଠାରେ ଉପସ୍ଥିତ ପରିବାର ଲୋକେ ଓ ବନ୍ଧୁବାନ୍ଧବ କହିଛନ୍ତି, ପ୍ରବୀର ଦେଶ ପାଇଁ ଜୀବନ ଦେଇଥିଲେ ମଧ୍ୟ ତାଙ୍କୁ ଯଥୋଚିତ ସମ୍ମାନ ଦିଆଗଲା ନାହିଁ। ଏଥିପାଇଁ ସେମାନେ ରାଜ୍ୟ ସରକାର ଓ ପ୍ରଶାସନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ପ୍ରବୀରଙ୍କ ପରିବାରରେ ମା’, ସ୍ତ୍ରୀ ଓ ଦୁଇଟି ଛୋଟ ପିଲା ଅଛନ୍ତି।

Share