Categories: ରାଜ୍ୟ

ଓଡ଼ିଆ ରଙ୍ଗମଞ୍ଚକୁ ମହିଳାଙ୍କ ପ୍ରବେଶ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ସମୟର ପରିବର୍ତ୍ତନ ସତ୍ତ୍ୱେ ଆମ ସଂସ୍କୃତିର ମୌଳିକତାକୁ ଅକ୍ଷୁଣ୍ଣ ରଖିବା ଏକ ବଡ଼ ଆହ୍ବାନ। ସଂସ୍କୃତିର ସୁରକ୍ଷା, ବିକାଶ ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ ସବୁ ସଚେତନ ନାଗରିକ ଉଦ୍ୟମ କରିବା ବାଞ୍ଛନୀୟ ବୋଲି ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମଙ୍ଗଳବାର ଅଭିଲେଖାଗାରରେ ଅନୁଷ୍ଠିତ ‘ସଂସ୍କୃତି ଚର୍ଚ୍ଚା’ରେ ମନ୍ତ୍ରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ସାଂସ୍କୃତିକ ବୈଶିଷ୍ଟ୍ୟକୁ ଅଧିକ ପ୍ରସାରିତ ତଥା ଆଦୃତ କରିବା ଦିଗରେ ବିଭାଗ ସବୁ ପ୍ରକାର ପଦକ୍ଷେପ ନେବ ବୋଲି କହିଥିଲେ। ବରିଷ୍ଠ ଅଭିନେତ୍ରୀ ଝରଣା ଦାସ କାର୍ଯ୍ୟକ୍ରମରେ ‘ଓଡ଼ିଆ ସୌଖୀନ ରଙ୍ଗମଞ୍ଚ, ବେତାର, ଚଳଚ୍ଚିତ୍ର ଓ ନାରୀବାଦ’ ଶୀର୍ଷକ ପ୍ରସଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ। ଓଡ଼ିଆ ରଙ୍ଗମଞ୍ଚକୁ ମହିଳାଙ୍କ ପ୍ରବେଶ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ। ଅନେକ ଅଶିକ୍ଷିତ, ଏପରି କି ନିରକ୍ଷର ମହିଳା ଓଡ଼ିଶାରେ ମଞ୍ଚକୁ ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଅଭିନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ। ସେତେବେଳେ ସେମାନଙ୍କ ଆଗରେ ସଂଳାପ ପଢ଼ାଯାଉଥିଲା ଏବଂ ସେମାନେ ତାହା ଘୋଷି ମନେ ରଖୁଥିଲେ। ଏଥିରୁ ପ୍ରମାଣିତ ହେଲା ଯେ, ଅଭିନୟ ସହିତ ଶିକ୍ଷାର ମହତ୍ତ୍ୱ ଜଡ଼ିତ ଏବଂ ଏହା ଅଭିନୟକୁ ମାର୍ଜିତ କରେ। ସମୟକୁ ଚିହ୍ନିବା ଓ ତା’ର ସଦୁପଯୋଗ କରିବା ଅତ୍ୟନ୍ତ ଜରୁରୀ। ସମୟୋପଯୋଗୀ ପଦକ୍ଷେପ ପରବର୍ତ୍ତୀ ସମୟରେ କୃତିତ୍ୱ, ଆଦୃତି ଓ ପ୍ରଭାବ ଆଣି ଦେଇଥାଏ ବୋଲି ଝରଣା ଦାସ କହିଥିଲେ। ଏହି ଅବସରରେ ତାଙ୍କ କିମ୍ବଦନ୍ତୀ ଅଭିନୟ ଜୀବନ ଆଧାରିତ ୧୦ ମିନିଟ୍‌ ଅବଧିର ଏକ ଡକ୍ୟୁମେଣ୍ଟାରି ‘ପ୍ରଣାମ ଝରଣା ଦାସ’ ଅତ୍ୟନ୍ତ ଉପଭୋଗ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ବିଭାଗ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ।

Share