ଓଡ଼ିଆ ସିନେମା ‘ସେଲଫିସ୍‌ ଦିଲ୍‌’ରେ ନାୟକ ସାଜିଛନ୍ତି ରାୟଗଡ଼ାର ଶ୍ରେୟାନ: ମୁନିଗୁଡ଼ାରେ ରୋଡ୍‌ ଶୋ’ କରି କଲେ ପ୍ରମୋଶନ

ମୁନିଗୁଡ଼ା,୧୭।୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ାରେ ଓଡ଼ିଆ ସିନେମା ‘ସେଲ୍‌ଫିସ ଦିଲ୍‌’ର ପ୍ରମୋଶନ ବୁଧବାର କରାଯାଇଛି। ଫିଲ୍ମର ନାୟକ ଶ୍ରେୟାନ ଏବଂ ନାୟିକା ସୂର୍ଯ୍ୟମୟୀ ରୋଡ୍‌ ଶୋ’ କରି ଫିଲ୍ମର ପ୍ରମୋଶନ କରିଛନ୍ତି। ସ୍ଥାନୀୟ ହୋଟେଲ ସାହିନ୍‌ ପରିସରରୁ ସେମାନେ ବାହାରି ସହର ପରିକ୍ରମା କରି ପଦ୍ମାଳୟ ଟକିଜ୍‌ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଅନେକ ପ୍ରଶଂସକ ତଥା ସିନେପ୍ରେମୀ ଉଭୟଙ୍କ ସହ ସେଲ୍‌ଫି ଉଠାଇଥିଲେ। ତେବେ ଶ୍ରେୟାନ ରାୟଗଡ଼ା ମାଟିର ପୁଅ ହୋଇଥିବାରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ପରେ ନବାଗତ କଳାକାରଙ୍କ ସହ ବହୁ ସିନେପ୍ରେମୀ ସିନେମା ଦେଖିଥିଲେ।

ପଞ୍ଚବଟୀ ସିନେ କ୍ରିଏସନର ପ୍ରଥମ ଅବଦାନ ‘ସେଲଫିସ୍‌ ଦିଲ୍‌’ରେ ଶ୍ରେୟାନ ଓ ସୂର୍ଯ୍ୟମୟୀ ମୁଖ୍ୟ ଭୂମିକାରେ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବରାଳ, ବିଜୟ ମହାନ୍ତି ଓ ଗୁଡୁ ପ୍ରମୁଖ ଅଭିନୟ କରିଛନ୍ତି। କାର୍ଯ୍ୟକ୍ରମକୁ ପଦ୍ମାଳୟ ଟକିଜ୍‌ ମାଲିକ ବିନୋଦ ପଣ୍ଡା ଓ ସୁଦାମ ପଣ୍ଡା ପରିଚାଳନା କରିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ମୁନିଗୁଡ଼ା ଥାନାଧିକାରୀ ରାଜେନ୍ଦ୍ର ଦେହୁରୀଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

Share