ଓଡ଼ିଶାକୁ ‘ନ୍ୟୁଟ୍ରିଶନ ଚାମ୍ପିୟନ’ ଟ୍ୟାଗ୍‌ ଦେଲା ଆଇଏଫ୍‌ପିଆର୍‌ଆଇ

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଅନ୍ୟ ରାଜ୍ୟମାନଙ୍କୁ ପଛରେ ପକାଇ ଦେଶର ‘ନ୍ୟୁଟ୍ରିଶନ ଚାମ୍ପିୟନ’ ହେବାର ଗୌରବ ଅର୍ଜନ କରିଛି ଓଡ଼ିଶା। ଶିଶୁଙ୍କଠାରେ କୁପୋଷଣ ଦୂର କରିବା କ୍ଷେତ୍ରରେ ଆଖିଦୃଶିଆ କାର୍ଯ୍ୟ କରିବା ଲାଗି ଇଣ୍ଟରନ୍ୟାଶନାଲ ଫୁଡ୍‌ ପଲିସି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌(ଆଇଏଫ୍‌ପିଆର୍‌ଆଇ) ଓଡ଼ିଶାକୁ ଏହି ଟ୍ୟାଗ୍‌ ପ୍ରଦାନ କରିଛି। ଓ୍ବାଶିଂଟନ୍‌ ଡିସିର ଏହି ସଂସ୍ଥା ଦ୍ୱାରା ବିଶ୍ୱର କେତେକ ରାଷ୍ଟ୍ରକୁ ନେଇ ସର୍ଭେ କରାଯାଇଥିବାବେଳେ ଏଥିରେ ବାଲାଂଦେଶ, ବ୍ରାଜିଲ, ନେପାଳ, ପେରୁ, ଥାଇଲାଣ୍ଡ, ଭିଏତ୍‌ନାମ, ଇଥିଓପିଆ ଏବଂ ଭାରତ ରହିଥିଲେ। କୁପୋଷଣ ଏବଂ ଏହାର ନିରାକରଣ କ୍ଷେତ୍ରରେ କେଉଁ ରାଷ୍ଟ୍ର ଏବଂ କେଉଁ ରାଜ୍ୟ କିଭଳି କାର୍ଯ୍ୟ କରିଛନ୍ତି ତାହାକୁ ଅନୁଶୀଳନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।
ଭାରତରେ ହୋଇଥିବା ସର୍ବେକ୍ଷଣରେ ଓଡ଼ିଶା ସହ ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ଆଗଧାଡ଼ିର ରାଜ୍ୟଗୁଡ଼ିକୁ ନେଇ ଏକ ତୁଳନାତ୍ମକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ରାଜ୍ୟ ସରକାରମାନଙ୍କ ଆଖିଦୃଶିଆ ପଦକ୍ଷେପ କୁପୋଷଣ ଦୂର କରିବାରେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିଛି ତାହାକୁ ଏଥିରେ ଦର୍ଶାଯାଇଥିଲା। ରିପୋର୍ଟ ମୁତାବକ, ଏ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ସଫଳତା ହାସଲ କରିଛି। କେବଳ ଏତିକି ନୁହେଁ, ୧୨ରୁ ୨୩ ମାସ ମଧ୍ୟରେ ସମସ୍ତ ଶିଶୁଙ୍କୁ ଟିକାକରଣ କରି ରାଜ୍ୟ ରେକର୍ଡ ସୃଷ୍ଟି କରିଛି। ଏଥିସହ ଉଭୟ ମା’ ଓ ୩ବର୍ଷରୁ କମ୍‌ ବୟସର ଶିଶୁଙ୍କ ପାଇଁ ନିୟମିତ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି। ୨୦୦୫-୦୬ରେ ଓଡ଼ିଶାରେ କୁପୋଷଣ ଯୋଗୁ ୪୬.୫ ପ୍ରତିଶତ ଶିଶୁଙ୍କର ଶାରୀରିକ ବିକାଶ ଠିକ୍‌ ଭାବେ ହେଉ ନ ଥିବାବେଳେ ୨୦୧୫-୧୬ରେ ଏହା ହ୍ରାସ ପଇଁ ୩୫.୩ ପ୍ରତିଶତରେ ପହଞ୍ଚତ୍ଛି। ସେହିଭଳି ପୋଷଣ ଅଭାବରୁ ୪୨.୩ ପ୍ରତିଶତ ଶିଶୁଙ୍କର ଓଜନ ସ୍ବାଭାବିକଠାରୁ କମ୍‌ ଥିବାବେଳେ ଏବେ ତାହା କମି ୩୫.୮ ପ୍ରତିଶତରେ ପହଞ୍ଚତ୍ଛି। ଏହାବ୍ୟତୀତ ୨୦୧୪ ତୁଳନାରେ ୨୦୧୭ରେ ଇଣ୍ଟିଗ୍ରେଟେଡ୍‌ ଚାଇଲ୍ଡ ଡେଭଲପ୍‌ମେଣ୍ଟ ସର୍ଭିସ (ଆଇସିଡିଏସ୍‌) ଅଧିକ ୩୪ ପ୍ରତିଶତ ଲୋକଙ୍କ ନିକଟରେ ପହଞ୍ଚତ୍ପାରିଛି। ଆଇସିଡିଏସ୍‌ ସେବା ଯୋଗାଇବା କ୍ଷେତ୍ରରେ ଓଡ଼ିଶା ଗୁଜରାଟ, ମଧ୍ୟପ୍ରଦେଶ ଭଳି ଧନୀ ରାଜ୍ୟଠାରୁ ବେଶ୍‌ ଆଗରେ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।