ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଭାଇଜାନ୍‌

ଭୁବନେଶ୍ୱର,୨୫ା୩(ବ୍ୟୁରୋ)-ମହାମାରୀ କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିସାରିଲାଣି। ଅହେତୁକ ଭାବେ ବଢ଼ୁଥିବା ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ଦିନିଆ ଲକଡାଉନ ଜାରି କରିଛନ୍ତି। ଏଥିରେ ରାଜ୍ୟଗୁଡ଼ିକୁ ମଧ୍ୟ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ଏହି କ୍ଷେତ୍ରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରି ରାଜ୍ୟବାସୀଙ୍କୁ ନିଜ ପରିବାର ସହ ଘରେ ରହିବାକୁ ଶପଥ ନେବାକୁ କହିଛନ୍ତି। ଏହି ସମର୍ଥନରେ ବଲିଉଡର ଭାଇଜାନ ଦବଙ୍ଗ ସଲମାନ ଖାନ ଓଡ଼ିଶାବାସୀଙ୍କୁ ଘରେ ରହି କରୋନାର ମୁକାବିଲା କରିବା ପାଇଁ ଏକ ଭିଡିଓ ଜାରି କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଓଡ଼ିଆ ଭାଷାରେ ଲୋକଙ୍କୁ ସ୍ବାଗତ ଜଣାଇବା ସହ ରାଜ୍ୟ ସରକାରଙ୍କ ଦ୍ୱାରା କରୋନା ସଂକ୍ରମଣରୁ ନିରାପଦ ରହିବା ଲାଗି ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଅନୁରୋଧ କରୁଛନ୍ତି। ଛିଙ୍କିବା ବେଳେ ରୁମାଲ ଦେବା, ଏକ ମିଟର ଦୂରତା ବଜାୟ ରଖିବା, ସାବୁନରେ ହାତ ଧୋଇବା ଏଭଳି ନିର୍ଦ୍ଦେଶଗୁଡ଼ିକ ପାଳି ସଚେତନ ରହିବାକୁ କହିଛନ୍ତି। କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାରଙ୍କ ନିବେଦନ ଅନୁଯାୟୀ କାମ କରିବାକୁ ସଲମାନ ନିବେଦନ କରିଛନ୍ତି।

Share