ଓଡ଼ିଶାରୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆଶା ଉଜ୍ଜ୍ୱଳ

ଭୁବନେଶ୍ୱର,୬ା୧(ବ୍ୟୁରୋ): ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବା ଆଶା ଉଜ୍ଜ୍ୱଳ ହେବାରେ ଲାଗିଛି। ଆସନ୍ତା ୨୨ ତାରିଖରେ ଓଡ଼ିଶାରେ ୧୫ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବିମାନ ଚଳାଚଳ ସଂସ୍ଥାର ସିଇଓଙ୍କ ବୈଠକ ଅନୁଷ୍ଠିତ ହେବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ରାଜ୍ୟ ସରକାର ଓ ସିଇଓମାନଙ୍କ ମଧ୍ୟରେ ଏ ସମ୍ପର୍କରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଉପସ୍ଥିତ ରହି ସିଇଓମାନଙ୍କ ସହ ସିଧାସଳଖ ଆଲୋଚନା କରିବେ। ବୈଠକରେ ଏୟାର ଏସିଆ, ସିଙ୍ଗାପୁର ଏୟାରଲାଇନ୍ସ, ଶ୍ରୀଲଙ୍କାନ ଏୟାରଲାଇନ୍ସ, ସ୍କଟ୍‌ ଏୟାର, ଡ୍ରଗ୍‌ ଏୟାର, ବ୍ୟାଙ୍କକ୍‌ ଏୟାରଓ୍ବେଜ, ନୋଭୋ ଏୟାର, ରିଜେଣ୍ଟ ଏୟାରଓ୍ବେଜ୍‌, ଫ୍ଲାଏ ଦୁବାଇ, ଫ୍ଲାଏ ଏମିରେଟ୍ସ, ଥାଇ ଏୟାରଓ୍ବେଜ୍‌ର ସିଇଓମାନେ ଯୋଗଦେବେ। ସେହିଭଳି ମୁଖ୍ୟଶାସନ ସଚିବ ଅସିତ୍‌ ତ୍ରିପାଠୀ, ରାଜ୍ୟ ପରିବହନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ପ୍ରଦୀପ ସିଂ ଖରୋଲା, ଯୁଗ୍ମ ସଚିବ ଉଷା ପାଢ଼ୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅନ୍ତର୍ଜାତୀୟ ବିମାନ ସଂଯୋଗ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଥିଲେ। ପ୍ରମୁଖ ବିମାନ ଚଳାଚଳ ସଂସ୍ଥାର ସିଇଓମାନଙ୍କ ସହ ବୈଠକ ପାଇଁ ଆହ୍ବାନ କରିଥିଲେ। ଅନ୍ତର୍ଜାତୀୟ ବିମାନ ସଂଯୋଗ ପାଇଁ ରାଜ୍ୟର ବିକଶିତ ଭିତ୍ତିଭୂମି ବିଷୟରେ ଉଲ୍ଲେଖ କରିବା ସହ ଓ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବାକୁ ରାଜି ଅଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଥିଲେ।

Share