ଓଡ଼ିଶାରୁ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର : କହିଲେ ‘କୌଣସି ଗୁପ୍ତ ବୁଝାମଣା ନାହିଁ’

ଭୁବନେଶ୍ୱର,୨୩ା୬(ବ୍ୟୁରୋ) : ସଂଖ୍ୟାଗରିଷ୍ଠ ଥାଇ ମଧ୍ୟ ବିଜେଡି ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିବା ପରେ ରାଜ୍ୟରେ ରାଜନୈତିକ ଉଷ୍ଣତା ପ୍ରକାଶ ପାଇଛି। ଏହା ପଛରେ କୌଣସି କର୍ପୋରେଟ୍‌ ଲବି ଥିବା କୁହାଯାଉଥିବାବେଳେ ରବିବାର ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ରାଜ୍ୟ ସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାକୁ ନେଇ କୌଣସି ଗୁପ୍ତ ବୁଝାମଣା ହୋଇନାହିଁ। ବରଂ ଖୋଲା ବୁଝାମଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଶ୍ୱିନୀଙ୍କୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ନବୀନ ତାହା କରିଛନ୍ତି। ଗଣତନ୍ତ୍ରରେ ଅନେକ ସମୟରେ ବୁଝାମଣାର ଆବଶ୍ୟକତା ଥାଏ। ରାଜ୍ୟର ବୃହତ୍ତର ସ୍ବାର୍ଥ ଓ ବିକାଶ ପାଇଁ ଏଭଳି ବୁଝାମଣା କରାଯାଇଛି। ଏହା ଦ୍ୱାରା ରାଜ୍ୟର ବିକାଶ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଅପରପକ୍ଷରେ ଅଶ୍ୱିନୀ ଜଣେ ସୁଦକ୍ଷ ପ୍ରଶାସକ। ତାଙ୍କୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ଏକ ଭଲ ପରମ୍ପରା ସୃଷ୍ଟି କରିଛନ୍ତି। ଏହା ଦ୍ୱାରା କାହାର ଲାଭ ହେବ କାହାର କ୍ଷତି ହେବ ତାହା ସମୟ କହିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ପ୍ରକାଶଯୋଗ୍ୟ, ଓଡ଼ିଶାରେ ଖାଲି ଥିବା ୩ଟି ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର ଓ ବିଜେଡି ସମର୍ଥିତ ଭାଜପା ପ୍ରାର୍ଥୀ ଅଶ୍ୱିନୀଙ୍କୁ ରାଜ୍ୟ ସଭାକୁ ପଠାଇବା ଲାଗି ଘୋଷଣା ହୋଇଥିଲା।

Share