ଓଡ଼ିଶାରେ ଉତ୍କଟ ହେବ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର, ୫ା୧୧(ବ୍ୟୁରୋ): ୨୦୧୦ରେ ଓଡ଼ିଶାରେ ହାରାହାରି ଗ୍ରୀଷ୍ମ ତାପମାତ୍ରା ୨୮.୮୭ ଡିଗ୍ରି ସେଲସିଅସ୍‌ ଥିବାବେଳେ ୨୧୦୦ ସୁଦ୍ଧା ଏହା ୩୨.୧୯ ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଯଦି ବର୍ତ୍ତମାନ ହାରରେ ଗ୍ରିନ୍‌ହାଉସ ଗ୍ୟାସ ନିର୍ଗମନ ଜାରି ରହିବ ତେବେ ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟା ୩୦ଗୁଣା ବୃଦ୍ଧି ଘଟିବ। ୨୦୧୦ରେ ଯାହା ୧.୬୨ ଦିନ ଥିଲା, ୨୧୦୦ ସୁଦ୍ଧା ତାହା ୪୮.୦୫ ଦିନକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ସମଗ୍ର ଭାରତରେ ଅତ୍ୟଧିକ ଗରମ ଦିନ ସଂଖ୍ୟା ୮ଗୁଣ ବୃଦ୍ଧି ପାଇବାକୁ ଥିବାବେଳେ ୨୧୦୦ ବେଳକୁ ଏହା ୪୨.୮ଦିନରେ ପହଞ୍ଚତ୍ବ ବୋଲି ସୋମବାର ଭୁବନେଶ୍ୱରରେ ଉନ୍ମୋଚିତ ଏକ ନୂତନ ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
କ୍ଲାଇମେଟ୍‌ ଇମ୍ପାକ୍ଟ ଲ୍ୟାବ୍‌ ପକ୍ଷରୁ ୟୁଚିକାଗୋସ୍ଥିତ ଟାଟା ସେଣ୍ଟର ଫର୍‌ ଡେଭଲପମେଣ୍ଟ ସହଯୋଗରେ ‘ଭାରତରେ ଜଳବାୟୁ ପରିବର୍ତ୍ତନ ଓ ପାଣିପାଗ ଝଟକା ଜନିତ ମନୁଷ୍ୟ ଓ ଅର୍ଥନୈତିକ କ୍ଷତି’କୁ ନେଇ ପ୍ରସ୍ତୁତ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ଅଙ୍ଗାରକାମ୍ଳ ନିର୍ଗମନରେ ଓଡ଼ିଶା ଆଗରେ ରହିଥିବାବେଳେ ଏଠାରେ ଜାତୀୟ ହାରଠାରୁ ମଧ୍ୟ ଅଧିକ ତାପମାତ୍ରା
ବୃଦ୍ଧି ପରିଲକ୍ଷିତ ହେବ। ତାପମାତ୍ରା ବୃଦ୍ଧି ଯୋଗୁ ଓଡ଼ିଶାରେ ଜଳବାୟୁ ଜନିତ ମୃତ୍ୟୁସଂଖ୍ୟା ୪୨,୩୩୪କୁ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି। ପ୍ରତିବର୍ଷ ହୃଦ୍‌ଘାତ ବା ଅଂଶୁଘାତରେ ରାଜ୍ୟରେ ଯେତିକି ମୃତ୍ୟୁ ହେଉଛି ତାହାର ୫ ଗୁଣରୁ ଅଧିକ ମୃତ୍ୟୁ ପରିଲକ୍ଷିତ ହେବ। ୧୯୯୮ରେ ଓଡ଼ିଶାରେ ଅସ୍ବାଭାବିକ ଗ୍ରୀଷ୍ମପ୍ରବାହ ସ୍ଥିତି ଦେଖାଦେଇଥିବାବେଳେ ଏଥିରେ ୨,୦୪୨ଜଣଙ୍କ ମୃତ୍ୟୁ ହୋଇଥିଲା। ବ୍ୟାପକ ସଚେତନତା ଯୋଗୁ ଏଭଳି ମୃତ୍ୟୁସଂଖ୍ୟା କମିଥିଲେ ମଧ୍ୟ ପ୍ରତିବର୍ଷ କିଛି ନା କିଛି ମୃତ୍ୟୁ ରେକର୍ଡ କରାଯାଉଛି। ୨୦୧୦ରୁ ୨୦୧୮ ମଧ୍ୟରେ ଗ୍ରୀଷ୍ମପ୍ରବାହ ଯୋଗୁ ଭାରତରେ ୬,୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ସେଥିମଧ୍ୟରୁ ୯୦%ରୁ ଅଧିକ ମୃତ୍ୟୁ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ଘଟିଥିଲା। ତେବେ ୨୧୦୦ ବେଳକୁ ୬ ରାଜ୍ୟ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ଗ୍ରୀଷ୍ମକାଳୀନ ମୃତ୍ୟୁ ଘଟିବ ବୋଲି ଏହି ରିପୋର୍ଟ ଦର୍ଶାଇଛି।

Share