ଓଡ଼ିଶାରେ କଟକଣା, ଆନ୍ଧ୍ରରେ ନାହିଁ

ପାତ୍ରପୁର, ୧୯ା୩ (ଡି.ଏନ୍‌.ଏ.) କରୋନା ସଂକ୍ରମଣକୁ ରୋକିବା ପାଇଁ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ବୁଧବାର ପାତ୍ରପୁର ଓ ଏହା ନିକଟରେ ଥିବା ଗ୍ରାମରେ ତହସିଲ ଓ ବ୍ଲକ ପ୍ରଶାସନ ସ୍ଥାନିୟ ପୋଲିସ ସହାୟତାରେ ଦୋକାନବଜାର ବନ୍ଦ କରିବା ସହ ଲୋକଙ୍କୁ ସଚେତନ କରିଥିଲା। ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତି ଗ୍ରାମକୁ ଫେରୁଥିବା ବିଦେଶ ଫେରନ୍ତା ଓ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକଙ୍କୁ ଚିହ୍ନଟ କରି ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ହେଲେ ଏହି ବ୍ଲକ ସୀମାନ୍ତକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ସୀମାନ୍ତ ଗ୍ରାମରେ କରୋନା ସଂକ୍ରମଣ ସଚେତନତା ହେଉ ନଥିବା ଜଣାପଡିଛି।
ଓଡ଼ିଶାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଥିବାବେଳେ ଆନ୍ଧ୍ରରେ ଖୋଲା ରହିଛି। ଓଡ଼ିଶାରେ ମନ୍ଦିର ଦର୍ଶନ, ସମୂହ ପୂଜାପାଠ, ଯାତ୍ରା, ଭୋଜି ଆଦି ବାରଣ କରାଯାଇଥିବାବେଳେ ଆନ୍ଧ୍ରରେ ଏଥିପ୍ରତି କଟକଣା ନାହିଁ। ଏପରିକି ସେଠାରେ ବଡ ସହରରେ ମଧ୍ୟ ସାମାନ୍ୟ ସଚେତନ କରାଯାଉ ନ ଥିବା ଜଣାପଡିଛି। ମାତ୍ର ଓଡ଼ିଶାର ଏପରି କଟକଣା କଥା ଶୁଣି ଆନ୍ଧ୍ର ସୀମାନ୍ତ ଲୋକେ ଭୟଭୀତ ହୋଇ ପଡିଥିବା ପାତ୍ରପୁର ବ୍ଲକକୁ ଲାଗିଥିବା ଆନ୍ଧ୍ର ଇଚ୍ଛାପୁର, ସୋମପେଟା ଓ ପଲାସା ଅଞ୍ଚଳବାସୀ କହିଛନ୍ତି। ଓଡ଼ିଶାରେ ମାସ୍କ ମିଳୁ ନ ଥିବାବେଳେ ସେଠାରେ ଏବେବି କେହି ସାଧାରଣଲୋକେ ମାସ୍କ କିଣୁ ନ ଥିବା ଜଣେ ଔଷଧ ଦୋକାନୀ କହିଛନ୍ତି। ଏପରିକି ପ୍ରସିଦ୍ଧ ସୀମାଞ୍ଚଳ ମନ୍ଦିରରେ ମଧ୍ୟ କଟକଣା ନ ଥିବା ଜଣାପଡିଛି। ଅନ୍ୟପଟେ ପାତ୍ରପୁରରେ ଦୋକାନ ବଜାର ବନ୍ଦ ହେବା ପରେ ଜନସାଧାରଣ ସୀମାନ୍ତ ଆନ୍ଧ୍ରର ଇଚ୍ଛାପୁର ଓ ସୋମପେଟା ଯାଇ କିଣାକିଣି କରୁଥିବା ଦେଖିବାକୁ ମିଳୁଛି।