ଓଡ଼ିଶାରେ କରୋନା

ଭୁବନେଶ୍ୱର,୧୬।୩ (ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ହୋଇଛି ପ୍ରଥମ କରୋନା ଭାଇରସ୍‌ ପଜିଟିଭ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସ୍ଥାନୀୟ ବଡଗଡ଼ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନାରେ କରୋନା ଭୂତାଣୁ ଥିବା ଠାବ କରାଯାଇଛି। ଶନିବାର ଇଟାଲୀରୁ ଫେରିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କର ସ୍କ୍ରିନିଂ ଟେଷ୍ଟ କରାଯାଇଥିଲା। ଏଥିରୁ କରୋନା ସନ୍ଦେହ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ରବିବାର ବିଳମ୍ବିତ ରାତିରେ ରକ୍ତ ନମୁନା ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏନେଇ ସରକାରୀ ଭାବେ କିଛି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ହସ୍ପିଟାଲର ଜଣେ ଉଚ୍ଚ ଅଧିକାରୀ ଏହା ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ହସ୍ପିଟାଲରେ ଥିବା ୨ଜଣ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ ଆସିଥିବାବେଳେ ଆଉଜଣେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ଥିବା ଜଣାପଡିଛି। ତେବେ କରୋନା ପଜିଟିଭ୍‌ ଜଣାପଡିବା ପରେ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି।

Share