Categories: ଖେଳ

ଓଡ଼ିଶାରେ ଗ୍ରାଣ୍ଡମାଷ୍ଟର କୋଚିଂ କ୍ୟାମ୍ପ

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟର ଖେଳାଳି ଓ କୋଚ୍‌ଙ୍କ ପାଇଁ ଏକ କୋଚିଂ କ୍ୟାମ୍ପ ଚଳିତମାସ ୧୮ରୁ ୨୫ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେବ। କ୍ୟାମ୍ପରେ କୋଚିଂ ଦେବାପାଇଁ ଚିଲି ଗ୍ରାଣ୍ଡମାଷ୍ଟର ରୋଡ୍ରିଗୋ ଭାସ୍କ୍ବେଜ ସ୍କୋର୍ଡର ଗୁରୁବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ରୋଡ୍ରିଗୋ ୭ ଥର ଚେସ୍‌ ଅଲିମ୍ପିଆଡ୍‌ରେ ଅଂଶଗ୍ରହଣ କରିଛନ୍ତି ଏବଂ ୫ ଥର ଚିଲିକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବିଶେଷ କରି କୋଚିଂ ଷ୍ଟାଇଲ୍‌ ଯୋଗୁ ଚେସ୍‌ ମହଲରେ ତାଙ୍କର ବହୁତ ସମ୍ମାନ ରହିଛି। ଗ୍ରାଣ୍ଡମାଷ୍ଟର ରୋଡ୍ରିଗୋ ନିକଟରେ ଭାରତରେ ୩ଟି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ସେ ଉଦୟପୁରରେ ଲେକ୍‌ ସିଟି ଓପନର ର଼୍ୟାପିଡ୍‌ ଓ ବ୍ଲିଜ୍‌ରେ ଚାମ୍ପିୟନ ହୋଇଥିବାବେଳେ ଗୁଜରାଟ ଓପନ ଗ୍ରାଣ୍ଡମାଷ୍ଟର ଚେସ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଗୁଆହାଟୀ ଓପନରେ ସେ ଚାମ୍ପିୟନ ହୋଇଥିଲେ। କାର୍ଯ୍ୟସୂଚୀ ଅନୁସାରେ ରୋଡ୍ରିଗୋ ଓଡ଼ିଶା କୋଚ୍‌ମାନଙ୍କୁ ୧୮ ଓ ୧୯ ତାରିଖରେ ସକାଳ ୧୦ଟାରୁ ୧ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ କୋଚିଂ ଦେବେ। ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ସେ ୧୫୦୦ରୁ ଊର୍ଦ୍ଧ୍ୱ ରେଟିଂ ଖେଳାଳିଙ୍କୁ ଏବଂ ୨୩ରୁ ୨୫ ପର୍ଯ୍ୟନ୍ତ ୧୫୦୦ରୁ କମ୍‌ ରେଟିଂ ପ୍ରାପ୍ତ ଖେଳାଳିଙ୍କୁ କୋଚିଂ ଦେବେ।

Share