Categories: ବାଣିଜ୍ୟ

ଓଡ଼ିଶାରେ ଚାଷୀଙ୍କ ମାସିକ ଆୟ ହାରାହାରି ୫ ହଜାର

ନୂଆଦିଲ୍ଲୀ,୧୭-୭: ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ଚାଷୀଙ୍କ ମାସିକ ହାରାହାରି ଆୟ ୫୦୦୦ ଟଙ୍କା। ଅର୍ଥାତ ଜଣେ ଚାଷୀ ଦୈନିକ ୧୬୬ ଟଙ୍କା ଆୟ କରୁଛି। ଏହି ଅର୍ଥରେ ଜଣେ ଚାଷୀ ପରିବାର ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାକୁ ବାଧ୍ୟ ହେଉଛି। ‘ପରିସ୍ଥିତି ଆକଳନ ସର୍ଭେ’ ମାଧ୍ୟମରେ ନ୍ୟାଶନାଲ ସାମ୍ପୁଲ ସର୍ଭେ ଅଫିସ୍‌(ଏନ୍‌ଏସ୍‌ଏସ୍‌ଓ)ପକ୍ଷରୁ ଚାଷୀ ପରିବାରର ଆୟ ଆକଳନ କରାଯାଉଛି। ୨୦୧୩ରେ ନ୍ୟାଶନାଲ ସାମ୍ପୁଲ ସର୍ଭେର ୭୦ତମ ରାଉଣ୍ଡ ପରେ ୨୨ ରାଜ୍ୟର ଚାଷୀଙ୍କ ମାସିକ ହାରାହାରି ଆୟ ୧୦ ହଜାର ଟଙ୍କା ଥିବା ଆକଳନ କରାଯାଇଥିଲା। ଏଥିରେ ଦରମା/ମଜୁରି, ଫସଲ ବିକ୍ରି, ପଶୁପାଳନରୁ ଲାଭ ଏବଂ ଅଣକୃଷିଜନିତ ଆୟକୁ ହିସାବକୁ ନିଆଯାଇଛି। ବିହାରରେ ଚାଷୀଙ୍କ ମାସିକ ହାରାହାରି ଆୟ ସର୍ବନିମ୍ନ ସ୍ତର ୩୫୫୮ ଟଙ୍କା ରହିଛି। ପଶ୍ଚିମବଙ୍ଗର ଚାଷୀଙ୍କ ମାସିକ ଆୟ ୩୯୮୦ ଟଙ୍କା, ଉତ୍ତରାଖଣ୍ଡରେ ୪୭୦୧ ଟଙ୍କା, ଝାଡ଼ଖଣ୍ଡରେ ୪୭୨୧ ଟଙ୍କା, ୪୯୨୩ ଟଙ୍କା ଉତ୍ତର ପ୍ରଦେଶରେ ଏବଂ ଓଡ଼ିଶାରେ ୪୯୭୬ ଟଙ୍କା ଚାଷୀଙ୍କ ମାସିକ ହାରାହାରି ଆୟ ହେଉଥିବା ସର୍ଭେରୁ ଜଣାପଡିଛି। ହରିୟାନାର ଚାଷୀ ସର୍ବାଧିକ ୧୪,୪୩୪ ଟଙ୍କା ଆୟ ସହ ଶୀର୍ଷରେ ରହିଛି ବୋଲି ରାଜ୍ୟ ସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ପ୍ରକାଶ କରିଛନ୍ତି। ମୌସୁମୀର ଅନିୟମିତତା, ଜଳସେଚନ ସୁବିଧାର ଅଭାବ, ରୋଗପୋକ ଆକ୍ରମଣ ଯୋଗୁ ଚାଷୀଙ୍କ ଆୟ ବୃଦ୍ଧିରେ ବଡ଼ ବାଧକ ବୋଲି ସେ କହିଛନ୍ତି। ୨୦୧୮-୧୯ରେ କୃଷି, ଜଙ୍ଗଲ ଏବଂ ମତ୍ସ୍ୟ ପାଳନ କ୍ଷେତ୍ରରେ ଅଭିବୃଦ୍ଧି ମାତ୍ର ୨.୯% ରହିଛି। ଏହାର ପୂର୍ବବର୍ଷ ଅଭିବୃଦ୍ଧି ହାର ୫% ରହିଥିଲା। ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏ କ୍ଷେତ୍ରରେ ବିକାଶ ହାର ମାଇନସ୍‌ ୦.୧ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି।

Share