ଓଡ଼ିଶାରେ ଦେଖାଗଲା ଆଂଶିକ ସୂର୍ଯ୍ୟୋପରାଗ

ଭୁବନେଶ୍ୱର, ୨୭-୧୨(ବ୍ୟୁରୋ):ଚଳିତବର୍ଷର ତୃତୀୟ ତଥା ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା। ହେଲେ କୋହଲା ପାଗକୁ ମେଘାଚ୍ଛନ୍ନ ଆକାଶରେ ଲୁଚି ଯାଇଥିଲେ ସୂର୍ଯ୍ୟ। ଗୁରୁବାର ସକାଳ ୮ଟା ୧୯ରୁ ପରାଗ ସ୍ପର୍ଶ ଆରମ୍ଭ ହୋଇ ୩ଘଣ୍ଟାରୁ ଊର୍ଦ୍ଧ୍ୱ ଅର୍ଥାତ୍‌ ୧୧ଟା ୨୮ରେ ଛାଡ଼ିଥିଲା। ପୂର୍ଣ୍ଣ ସୂର୍ଯ୍ୟୋପରାଗ ହୋଇଥିଲେ ମଧ୍ୟ ଓଡ଼ିଶାରେ ଆଂଶିକ ଦେଖିବାକୁ ମିଳିଥିଲା। ବାଦଲ ଭିତରେ କେତେବେଳେ ସୂର୍ଯ୍ୟୋପରାଗ ଦିଶୁଥିଲା ତ ପୁଣି କେତେବେଳେ ସମ୍ମୁଖରେ ଅଦୃଶ୍ୟ ହୋଇଯାଉଥିଲା। ପୁରୀ, ବାଲେଶ୍ୱର ଓ ସମ୍ବଲପୁରରେ ଲୋକେ ସୂର୍ଯ୍ୟୋପରାଗକୁ ଅଳ୍ପ ସମୟ ଅନ୍ତରରେ ଦେଖିବାକୁ ପାଇଥିଲେ। ହେଲେ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ସମେତ ଉପକୂଳ ଓଡ଼ିଶାର ଲୋକେ ଏହି ମହାଜାଗତିକ ଦୃଶ୍ୟ ଠିକ୍‌ ଭାବେ ଦେଖିପାରି ନ ଥିଲେ। ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ସୂର୍ଯ୍ୟୋପରାଗ ଦେଖିବାକୁ ସୂର୍ଯ୍ୟ ଚଷମା, ପ୍ରୋଜେକ୍ଟର ଓ ଟେଲିସ୍କୋପ୍‌ର ବ୍ୟବସ୍ଥା କରାଯାଇଥିଲା। ସକାଳୁ ମଧ୍ୟ ଛାତ୍ରୀଛାତ୍ର, ଅଭିଭାବକ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ସେହିଭଳି ବିଜେବି କଲେଜ ଗ୍ରାଉଣ୍ଡ୍‌ରେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ହୋଇଥିଲା। ପ୍ଲାନେଟାରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ୩ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଧାଡ଼ିରେ ରହି ପରାଗ ଦେଖିବାକୁ ଉତ୍ସାହର ସହ ଛିଡ଼ା ହୋଇଥିଲେ। ପାଗ ଖରାପ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ସକାଳ ୮ଟା ୫୦ରୁ ୯ଟା ଯାଏ କେବଳ ୧୦ ମିନିଟ ପାଇଁ ଆଶିଂକ ପରାଗ ଦେଖିବାକୁ ସୁଯୋଗ ମିଳିଥିଲା ବୋଲି ପଟ୍ଟନାୟକ କହିଛନ୍ତି।
ସେହିପରି ଓଡ଼ିଶା ବ୍ୟତୀତ ନୂଆଦିଲ୍ଲୀ, ଜୟପୁର, ଅହମ୍ମଦାବାଦ୍‌, ମୁମ୍ବାଇ, ବେଙ୍ଗାଲୁରୁ, କୋଏମ୍ବାଟୁର୍‌, ଚେନ୍ନାଇ ସମେତ ଅନ୍ୟ ଅଞ୍ଚଳରେ ଏହି ବିରଳ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଛି। ମୁଖ୍ୟତଃ କର୍ନାଟକ, କେରଳ ଓ ତାମିଲନାଡ଼ୁରେ ସକାଳ ୧୦ଟା ୪୭ରେ ବଳୟ ସୂର୍ଯ୍ୟୋପରାଗକୁ ଲୋକେ ଦେଖିଛନ୍ତି। ଏହାଛଡ଼ା ମୁମ୍ବାଇରେ ବି ଏହି ମହାଜାଗତିକ ଦୃଶ୍ୟ ଦେଖାଯାଇଥିଲା। କେବଳ ଭାରତରେ ନୁହେଁ, ବିଦେଶରେ ବି ସୂର୍ଯ୍ୟୋପରାଗ ଦେଖିବାକୁ ମିଳିଥିଲା। ସିଙ୍ଗାପୁର, ଶ୍ରୀଲଙ୍କା, ଦୁବାଇରେ ବଳୟ ସୂର୍ଯ୍ୟୋପରାଗକୁ ଲୋକେ ଦେଖିଥିଲେ ବୋଲି ପ୍ଲାନେଟାରିୟମ ଉପନିର୍ଦ୍ଦେଶକ ପଟ୍ଟନାୟକ କହିଛନ୍ତି।

Share