ଓଡ଼ିଶାରେ ବିପରୀତ ସ୍ଥିତି: ବୟସ୍କଙ୍କଠାରୁ ପିଲା, ଯୁବକ ଅଧିକ ସଂକ୍ରମିତ

ଭୁବନେଶ୍ୱର, ୧୩।୬(ବ୍ୟୁରୋ) – କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଚାଇନାର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭୂତାଣୁ ଏବେ ପ୍ରାୟ ସବୁଦେଶକୁ କରାୟତ କରିସାରିଛି। ଭାରତରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ଚତୁର୍ଥ ସ୍ଥାନକୁ ଚାଲି ଆସିଛି। ତେବେ ଏହି ଭୂତାଣୁ ବୟସ୍କ ଲୋକଙ୍କୁ ଅଧିକ ଓ ପିଲାଙ୍କୁ କମ୍‌ ସଂକ୍ରମିତ ହେଉଥିବା ନେଇ ବିଶ୍ୱସ୍ତରୀୟ ରିପୋର୍ଟ କହୁଛି। ହେଲେ ଓଡ଼ିଶାରେ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳିଛି। ଏଠାରେ ବୟସ୍କଙ୍କଠାରୁ ପିଲା ଓ ଯୁବକ ଅଧିକ ଆକ୍ରାନ୍ତ ହୋଇଛନ୍ତି।
ସରକାରଙ୍କ ତଥ୍ୟ ଅନୁସାରେ, ବର୍ତ୍ତମାନ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୭୨୩ ରହିଛି। ୫୩୦ଜଣ ମହିଳା ଓ ୩୧୯୩ ଜଣ ପୁରୁଷ। ଏମାନଙ୍କ ମଧ୍ୟରେ ମାତ୍ର ୯୬ଜଣ ୬୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ୍‌ ବାହାରିଛି। କିନ୍ତୁ ଏହାଠାରୁ ଢେର୍‌ ଅଧିକ ଅର୍ଥାତ୍‌ ୧୧୦ଜଣ ଆକ୍ରାନ୍ତ ହେଉଛନ୍ତି ପିଲା। ଏମାନଙ୍କ ବୟସ ୦ରୁ ୧୪ବର୍ଷ ମଧ୍ୟରେ ରହିଛି। ତେବେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି ଯୁବପିଢ଼ି। ଏହି ହାର ମଧ୍ୟ ଦିନକୁ ଦନ ବଢ଼ି ଚାଲିଛି। ରାଜ୍ୟର ୩୭୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୭୦ଜଣ ଯୁବପିଢ଼ି ରହିଥିବାବେଳେ ଏମାନଙ୍କ ବୟସ ୧୫ରୁ ୪୦ବର୍ଷ ମଧ୍ୟରେ ରହିଛି। ସେହିପରି ୪୧ରୁ ୬୦ବର୍ଷ ବୟସ ମଧ୍ୟରେ ୮୪୬ଜଣ ରହିଛନ୍ତି।

Share