ଓଡ଼ିଶାରେ ରେଳ ବିକାଶର ବାସ୍ତବତା

ସବ୍ୟସାଚୀ ଅମିତାଭ
ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ରେଳପଥ ବିକାଶରେ ପଛରେ ପଡ଼ିଛି। ରାଜ୍ୟ ମଧ୍ୟ ଦେଇ ଯାଇଥିବା ସମୁଦାୟ ରେଳପଥର ଲମ୍ବ ୨୫୭୨ କିମି। ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ରେଳ ଭିତ୍ତିଭୂମି ବିକାଶର ଗତି ମନ୍ଥର। ଭାରତୀୟ ରେଲଓ୍ବେ ଯେତିକି ସାମଗ୍ରୀ ପରିବହନ କରୁଛି, ସେଥିମଧ୍ୟରୁ କେବଳ ଓଡ଼ିଶାରୁ ପରିବହନ ହେଉଛି ୧୨ ଶତାଂଶ। ଭାରତୀୟ ରେଲଓ୍ବେ ଓଡ଼ିଶାରୁ ବାର୍ଷିକ ୧୫ ହଜାର କୋଟିରୁ ଅଧିକ ରାଜସ୍ବ ପାଉଛି। ସାମଗ୍ରୀ ପରିବହନ ଓ ରାଜସ୍ବକୁ ହିସାବ କଲେ, ଓଡ଼ିଶାର ରେଳ ବିକାଶ ଯେତିକି ହେବା କଥା, ତାହା ଏଯାଏ ହୋଇପାରିନି।
ଏଥର ଅନ୍ତରୀଣ ବଜେଟରେ ତାଳଚେର-ଅନୁଗୋଳ ମଧ୍ୟରେ ୧୪.୫ କିମି ନୂଆ ଲାଇନ ବିଛାଯିବା ପାଇଁ ଯୋଜନା ରହିଛି। କିଛିବର୍ଷ ହେଲା ବ୍ୟୟବରାଦ ବଢୁଥିଲେ ବି ସେ ତୁଳନାରେ ପ୍ରକଳ୍ପଗୁଡିକର କାମରେ ଅଗ୍ରଗତି ହେଉନାହିଁ। ପ୍ରକୃତ କ୍ଷେତ୍ରରେ କେତେ ଅର୍ଥ ଖର୍ଚ୍ଚ ହେଉଛି, ତା’ର ସମୀକ୍ଷା ମଧ୍ୟ ଠିକ୍‌ ସମୟରେ କରାଯାଉନାହିଁ। ଆମେ ଯଦି ଅତୀତର ବଜେଟଗୁଡିକୁ ଦେଖିବା, ଷ୍ଟେଶନର ଆଧୁନିକୀକରଣ, ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳଷ୍ଟେଶନ ନିର୍ମାଣ, ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ ସମେତ ଓଡ଼ିଶା ଦୀର୍ଘଦିନ ଧରି ଦାବି କରିଆସୁଥିବା ଏବଂ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା କେତୋଟି ରେଳ ପ୍ରକଳ୍ପ ବର୍ଷ ବର୍ଷ ପରେ ବି ଯେମିତି ଥିଲା ସେମିତି ରହିଛି। ରେଳ ବିଭାଗ ତଥ୍ୟ ଅନୁସାରେ, ରାଜ୍ୟରେ ପାଖାପାଖି ୫ ହଜାର କିମି ରେଳଲାଇନ ନିର୍ମାଣ ଚାଲୁଥିବା ଦର୍ଶାଯାଉଥିବା ବେଳେ ରେଳ ମନ୍ତ୍ରଣାଳୟର ୱେବ୍‌ସାଇଟ ତଥ୍ୟ କହୁଛି, ରାଜ୍ୟରେ ମାତ୍ର ୨୯୩୬ କିଲୋମିଟର ରେଳଲାଇନ ନିର୍ମାଣ ଚାଲିଛି।
ଗତ ୨ ବର୍ଷ ମଧ୍ୟରେ ଅନୁମୋଦନ ନାଁରେ ରେଳ ବିଭାଗ ବହୁ ପ୍ରକଳ୍ପ ଘୋଷଣା କରିଛି, ହେଲେ ପରବର୍ତ୍ତୀ ସମୟରେ ଏହା ବଜେଟରୁ ବାଦ୍‌ ପଡ଼ିଛି। ରାଜ୍ୟ ସରକାର ବାରମ୍ବାର ବ୍ରହ୍ମପୁର-ସମ୍ବଲପୁର, ପୁରୀ-କୋଣାର୍କ, ବରଗଡ଼-ନୂଆପଡ଼ା, ତାଳଚେର-ଗୋପାଳପୁର, ଭଦ୍ରାଚଳମ୍‌-ବିମଳାଗଡ଼, ପାରାଦୀପ-ଧାମରା ସମେତ ଅତି କ୍ଷୁଦ୍ର ଓ ଗୁରୁତ୍ୱପୂର୍ଣ୍ଣ ରେଳଲାଇନ ଯଥା: ତାଳଚେର-ଏଫ୍‌ସିଆଇ-ଅନୁଗୋଳ, ବଡ଼ବିଲ-ବାଂଶପାଣି, ବରସୁଆଁ-ବାଂଶପାଣି-ବାଦାମପାହାଡ଼ ପ୍ରକଳ୍ପ ପାଇଁ ଦାବି କରୁଥିଲେ ବି କୌଣସି ଗୋଟିଏ ପ୍ରକଳ୍ପକୁ ଗମ୍ଭୀରତାର ସହ ନିଆଯାଇନି, ଯାହା ରାଜ୍ୟବାସୀଙ୍କ ସ୍ବାର୍ଥବିରୋଧୀ। ସେହିପରି ଦୁଇବର୍ଷ ତଳେ ନୂଆପଡ଼ା-ବରଗଡ଼-ବିଜେପୁର ରେଳଲାଇନ ପ୍ରକଳ୍ପ ପାଇଁ ଘୋଷଣା ହୋଇଥିଲେ ବି ଏହି ପ୍ରକଳ୍ପ ଲାଗି ବଜେଟରେ ବ୍ୟୟବରାଦ ହୋଇପାରିନି। ଅନ୍ତରୀଣ ବଜେଟରେ ଅନୁଗୋଳ-ସୁକିନ୍ଦା ରୋଡ୍‌ ରେଳ ପ୍ରକଳ୍ପ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦୀପ ପ୍ରକଳ୍ପ ବାବଦକୁ ୪୦୦ କୋଟି, ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ପାଇଁ ୩୦୦ କୋଟି, ତାଳଚେର-ବିମଳାଗଡ଼ ପ୍ରକଳ୍ପ ଲାଗି ୧୫୦ କୋଟି, ଜୟପୁର-ମାଲକାନଗିରି ପାଇଁ ୭୦ କୋଟି, ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ଲାଗି ୧୦ କୋଟି ଅନୁଦାନ ମିଳିଛି।
ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ରେଳସେବା ସମ୍ପୂର୍ଣ୍ଣ ଅବହେଳିତ ହୋଇଥିବା ବେଳେ ବହୁ ଦାବି ପରେ ବି ବିମଳାଗଡ଼-ତାଳଚେର ରେଳପଥ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ, କୋରାପୁଟ-ମାଲକାନଗିରି ରେଳପଥ ଏଯାଏଁ ସରିପାରିନି। ବିମଳାଗଡ଼-ତାଳଚେର ରେଳପଥ ସମ୍ପୂର୍ଣ୍ଣ ହେଲେ ସିଧାସଳଖ ପାରାଦୀପକୁ ରେଳ ସଂଯୋଗ ହୋଇପାରିବ। ଫଳରେ ହଳଦିଆ ପରିବର୍ତ୍ତେ ପାରାଦୀପକୁ ମାଲ୍‌ ପରିବହନ ସହଜ ହେବ। ତେଣୁ ହଳଦିଆ ବନ୍ଦରର ଗୁରୁତ୍ୱ କମିବା ଆଶଙ୍କା ଥିବାରୁ ଜାଣିଶୁଣି ଦୀର୍ଘଦିନ ହେଲା ବିମଳାଗଡ଼-ତାଳଚେର ରେଳପଥକୁ ସମ୍ପୂର୍ଣ୍ଣ କରିବାକୁ ଦିଆଯାଉନାହିଁ।
ସେହିପରି ଦକ୍ଷିଣପୂର୍ବ ରେଳପଥ ଡିଭିଜନରୁ ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲାକୁ ବାଦ୍‌ ଦେଇ ଏହାକୁ ପୂର୍ବତଟ ରେଳପଥରେ ସାମିଲ କରିବା ପାଇଁ ହେଉଥିବା ଦାବିକୁ ଏଯାଏ କାର୍ଯ୍ୟକାରୀ କରାଯାଉନାହିଁ। ଦକ୍ଷିଣପୂର୍ବ ରେଳପଥ ଅଧୀନରେ ଥିବା ସୁନ୍ଦରଗଡ଼ ଓ ଝାରସୁଗୁଡା ଜିଲାରୁ ବିପୁଳ ରାଜସ୍ବ ଆଦାୟ ହେଉଥିବାରୁ ଗାର୍ଡେନ ରିଚ୍‌ କର୍ତ୍ତୃପକ୍ଷ କୌଣସି ମୂଲ୍ୟରେ ଏହି ଦୁଇ ଜିଲାକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ୫ ବର୍ଷରେ ସାରିବେ ବୋଲି ୨୦୦୪ରେ ରେଳ ବଜେଟ ଆଗତ ବେଳେ ଘୋଷଣା କରିଥିଲେ ତତ୍‌କାଳୀନ ରେଳମନ୍ତ୍ରୀ ନୀତୀଶ କୁମାର। ଜମି ଅଧିଗ୍ରହଣରେ ବିଳମ୍ବ କାରଣରୁ ଏହି ୨୮୯ କିଲୋମିଟର ରେଳଲାଇନ ଅଧାରେ ଅଟକିଛି। ନୟାଗଡ଼ ଜିଲାର ୧୪୭ ଏକର ଓ ବୌଦ୍ଧ-ସୋନପୁର ଜିଲାର ୧୪୦୦ ଏକର ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଅଟକିଛି। ଏକା ଅବସ୍ଥା ହରିଦାସପୁର-ପାରାଦୀପ ରେଳପଥର। ୧୯୯୫-୯୬ରେ ଏହି ୮୨ କିମି ରେଳପଥ ଲାଗି ଘୋଷଣା ହୋଇଥିଲେ ମଧ୍ୟ ୨୨ ବର୍ଷ ପରେ ବି ଶେଷ ହୋଇପାରିନି। ୨୦୧୬ରେ ଏହି ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର ହେବା ପରେ ହିଁ କାମ ଆରମ୍ଭ ହୋଇଥିଲା। ହେଲେ ଷ୍ଟେଜ୍‌-୧ ପରିବେଶ କ୍ଲିୟରାନ୍ସ ମିଳିବାରେ ବିଳମ୍ବ ତଥା ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରର ୪୦ଟି ଗାଁରୁ ଜମି ଅଧିଗ୍ରହଣରେ ସମସ୍ୟା କାରଣରୁ ଏହାର ସମୟସୀମା ଲମ୍ବିବାରେ ଲାଗିଛି। ପ୍ରକଳ୍ପ ପାଇଁ ଯେଉଁ ଅର୍ଥ ବଜେଟରେ ବ୍ୟବସ୍ଥା କରାଯାଉଛି, ତାହା ସମୁଦ୍ରକୁ ଶଙ୍ଖେ ପରି। ବର୍ଷ ପରେ ବର୍ଷ ବିତିସାରିଥିଲେ ବି ତାଳଚେର-ବିମଳାଗଡା ପ୍ରସ୍ତାବିତ ୧୪୯.୭୮ କିମି ରେଳପଥ ଆଗେଇପାରିନି। ଅନୁଗୋଳ ଓ ଦେବଗଡ଼ ଜିଲାରେ ଜମି ଅଧିଗ୍ରହଣରେ ସମସ୍ୟା ଏହି ପ୍ରକଳ୍ପ ପାଇଁ କାଳ ହୋଇଛି।
କୋଲକାତା ଓ ନୂଆଦିଲ୍ଲୀ ପରି ମେଟ୍ରୋ କିମ୍ବା ମୁମ୍ବାଇରେ ଲୋକାଲ ଟ୍ରେନ୍‌ ବ୍ୟବସ୍ଥା ପରି ଭୁବନେଶ୍ୱର-କଟକ ସହର ପାଇଁ ରେଳ ବିଭାଗ ଏଯାଏ ଚିନ୍ତା କରିନି। ପରିବହନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଖୋର୍ଦ୍ଧା-ଭୁବନେଶ୍ୱର-କଟକ ଅଞ୍ଚଳ ପାଇଁ ରେଳଭିତ୍ତିକ ଏମ୍‌ଆର୍‌ଟିଏସ୍‌ ପ୍ରତି ରେଳ ମନ୍ତ୍ରଣାଳୟ ଗୁରୁତ୍ୱ ଦେବା ଦରକାର। ଗଞ୍ଜାମରେ ଶୀତଳପଲ୍ଲୀ ରେଳ ୱାଗନ ତିଆରି କାରଖାନା ତିଆରି ପ୍ରସ୍ତାବରୁ ରେଳ ବିଭାଗ ଓହରିଯାଇଛି। କଳାହାଣ୍ଡି ନର୍ଲାରେ ପ୍ରସ୍ତାବିତ ୱାଗନ ମରାମତି କାରଖାନାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରି ରାଜ୍ୟ ପ୍ରତି ରେଳ ବିଭାଗ ଅବହେଳା କରିଛି। ଜୁଲାଇ ୫ରେ ମୋଦି ସରକାରଙ୍କ ୨ୟ ପାଳିର ପ୍ରଥମ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ବଜେଟ ଆଗତ ହେବାକୁ ଯାଉଛି। ରେଳ କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଫୋକସ୍‌ କରିବା ପାଇଁ ଦାବି ଜୋର୍‌ଦାର ହେବା ଦରକାର।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯