Categories: ବାଣିଜ୍ୟ

ଓଡ଼ିଶାରେ ହେବ ଇ-ଯାନ ଉତ୍ପାଦନ

ଭୁବନେଶ୍ୱର,୧୮-୪: ଓଡ଼ିଶାରେ ପ୍ରଥମଥର ଲାଗି ଇ-ସ୍କୁଟର ଉତ୍ପାଦନ ହେବ। ଓମ୍‌ଜୟ ଇଭି ଲିମିଟେଡ ଏହି ଇ-ଯାନଗୁଡ଼ିକୁ ଉତ୍ପାଦନ କରିବାକୁ ଯୋଜନା ରହିଛି। ଯାଜପୁର ଜିଲାର ବଡଚଣାଠାରେ ମଡେଲଗୁଡିକ ମାନୁଫାକରିଂ କରାଯିବ। ଏଠାରେ କମ୍ପାନୀ ଏକ ବିଶ୍ୱ ସ୍ତରୀୟ ଫାସିଲିଟି ସ୍ଥାପନ କରିଛି। ଏଥିଲାଗି ରାଜ୍ୟ ସରକାର ସମସ୍ତ ପ୍ରକାରର ମଞ୍ଜୁରୀ ଦେଇଛନ୍ତି। ଇଭି ବ୍ରାଣ୍ଡରେ ପ୍ରାଥମିକ ପର୍ଯ୍ୟାୟରେ ୪ଟି ମଡେଲର ସ୍କୁଟର କମ୍ପାନୀ ବଜାରକୁ ଛାଡିବ। ଆଗାମୀ ଦିନରେ ମୋଟ ୧୫ଟି ମଡେଲ ଆଣିବାକୁ ଏହା ଯୋଜନା ରଖିଛି। ମଡେଲଗୁଡିକ ଶୀଘ୍ର ବଜାରରେ ଉପଲବ୍ଧ କରାଇବାକୁ କମ୍ପାନୀ ପକ୍ଷରୁ ଯୋଜନା ଧାର୍ଯ୍ୟ ହୋଇଛି। ଯାନଗୁଡିକ ପରିବେଶ ଉପଯୋଗୀ ହୋଇଥିବା ବେଳେ ପ୍ରଦୂଷଣ ନିରୋଧୀ, ଚଳନାରେ ସୁଗମତା, ନିର୍ଗମନ ବିହୀନ, ସୁଲଭ ମୂଲ୍ୟ, ପରିଚାଳନା ସୁଗମତା ଏବଂ ୟୁଜର ଫ୍ରେଣ୍ଡଲି ଭଳି ପ୍ରମୁଖ ବୈଶିଷ୍ଟ୍ୟ ସହ ଆସୁଛି।
ଗ୍ରାହକଙ୍କ ଚାହିଦାକୁ ଦେଖି ମଡେଲଗୁଡିକ ଡିଜାଇନ କରାଯାଇଛି। ଏଥି ଲାଗି ବିଶେଷଜ୍ଞଙ୍କ ପରାମର୍ଶ ଗ୍ରହଣ କରାଯିବା ସହ ଗବେଷଣାକୁ ପ୍ରାଥମିକତା ଦିଆଯାଇଛି। ଏହା ଘରୋଇ ବଜାରର ଇ-ମୋବିଲିଟି କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିବ ବୋଲି ଭାରତ ଗ୍ରୁପର ଅଧ୍ୟକ୍ଷ ଜୟପ୍ରକାଶ ଦିଦ୍‌ଓ୍ବାନିଆ ସୂଚନା ଦେଇଛନ୍ତି। ସବୁ ବୟସ ବର୍ଗର ଗ୍ରାହକଙ୍କୁ ଧ୍ୟାନରେ ରଖି ବିସ୍ତୃତ ରେଞ୍ଜର ପ୍ରଡକ୍ଟ କମ୍ପାନୀ ପ୍ରସ୍ତୁତ କରୁଛି। ସେହିଭଳି ସାରାଦେଶରେ ଏଥିଲାଗି ଡିଲର ନିଯୁକ୍ତ କରିବାକୁ ଯୋଜନା ମଧ୍ୟ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ୨୫୦ ଡିଲର ନିଯୁକ୍ତ କରାଯିବ। ଇ-ଯାନ କ୍ରୟ ସୁବିଧା ଲାଗି ଏହା ଫାଇନାନ୍ସ ଏବଂ ବୀମା କମ୍ପାନୀଗୁଡିକ ସହ ମିଳିତ ହୋଇ କାର୍ଯ୍ୟ କରିବାକୁ ଯୋଜନା ଗ୍ରହଣ କରାଯାଇଛି ବୋଲି ଦିଦ୍‌ଓ୍ବାନିଆ କହିଛନ୍ତି।

Share