ଓଡ଼ିଶାରେ ହେବ ଏନ୍‌ଜିଏମ୍‌ଏ ଗ୍ୟାଲେରି

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଖୋଲିବ ନ୍ୟାଶନାଲ ଗ୍ୟାଲେରି ଅଫ୍‌ ମଡର୍ନ ଆର୍ଟ (ଏନ୍‌ଜିଏମ୍‌ଏ)। ଏହାଦ୍ୱାରା ଓଡ଼ିଶାରେ କଳା କ୍ଷେତ୍ରରେ ଅଧିକ ଗବେଷଣା କରାଯିବା ସହ ଉତ୍କଳୀୟ କଳାର ପ୍ରଚାରପ୍ରସାର ହୋଇପାରିବ ବୋଲି ଏନ୍‌ଜିଏମ୍‌ଏ ଡିଜି ଅଦ୍ୱୈତ ଗଡ଼ନାୟକ ସୂଚନା ଦେଇଛନ୍ତି। ଆର୍ଟିଷ୍ଟ ଫେଡେରେଶନ ଅଫ୍‌ ଓଡ଼ିଶା ଫର୍‌ ଡିଜାଷ୍ଟର ଫିଲାନ୍‌ଥ୍ରୋପି ପକ୍ଷରୁ ଭାରତୀୟ କଳା ଉପରେ କୋଭିଡ୍‌-୧୯ର ପ୍ରଭାବ’କୁ ନେଇ ଆୟୋଜିତ ଭର୍ଚୁଆଲ କନ୍‌ଫରେନ୍ସରେ ଯୋଗଦେଇ ଗଡ଼ନାୟକ ଏହା କହିଛନ୍ତି। ସେ କହିଲେ, ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବାବେଳେ ସ୍ଥାନ ଚୟନ ହୋଇସାରିଛି। କରୋନା ପରବର୍ତ୍ତୀ ସମୟରେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଓଡ଼ିଶା ଉତ୍କୃଷ୍ଟ କଳାର ରାଜ୍ୟ ହୋଇଥିଲେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଯେଉଁ ପରିଚୟ ଓ ହକ୍‌ ପାଇବା କଥା ତାହା ପାଇପାରିନି। ଓଡ଼ିଶା ନିଜର ହକ୍‌ ସାବ୍ୟସ୍ତ କରିବା ଲାଗି ବର୍ତ୍ତମାନ ପ୍ରକୃଷ୍ଠ ସମୟ। ଏ ସମୟରେ ଆମେ ଜାତୀୟସ୍ତରରେ ନେତୃତ୍ୱ ନେଇପାରିବା। ଭର୍ଚୁଆଲ ପ୍ଲାଟଫର୍ମରେ ଆମ କଳାକୁ ବିଶ୍ୱଦରବାରରେ ଉପସ୍ଥାପନ କରିପାରିବା ବୋଲି ଗଡ଼ନାୟକ କହିଛନ୍ତି।
ପୁରୀ ଜିଲା ରଘୁରାଜପୁର ଐତିହ୍ୟଗ୍ରାମର ପଟ୍ଟଚିତ୍ର ଶିଳ୍ପୀମାନେ କୋଭିଡ୍‌-୧୯ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି। ଅଧିକାଂଶ ଶିଳ୍ପୀଙ୍କୁ କଞ୍ଚାମାଲ୍‌ ଓ ଗ୍ରାହକ ମଧ୍ୟ ମିଳୁନାହାନ୍ତି। ଏଭଳିସ୍ଥଳେ ରାଜ୍ୟରେ ଚିତ୍ରକର ଓ ସ୍ଥାପତ୍ୟକାରଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ରାଜ୍ୟ ସରକାର ପ୍ରୟାସ କରିବାକୁ ଏହି ଓ୍ବେବିନାରରେ ଦାବି ହୋଇଛି। ଭର୍ଚୁଆଲ ମାର୍କେଟ ମାଧ୍ୟମରେ କିଭଳି ଆମ କଳାକୁ ବଞ୍ଚାଇ ରଖିହେବ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଓଡ଼ିଶା ଲଳିତକଳା ଏକାଡେମୀ ଏ ଦିଗରେ ବିଶେଷ ଧ୍ୟାନ ଦେବାସହ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ପ୍ରକାଶନୀ କାର୍ଯ୍ୟକୁ ପୁଣିଥରେ ଆରମ୍ଭ କରିବାକୁ ଉପସ୍ଥିତ ଶିଳ୍ପୀମାନେ କହିଛନ୍ତି। ଶିଳ୍ପମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଗ୍ରାମୀଣ, ଆଭ୍ୟନ୍ତରୀଣ ଓ ମାଓବାଦୀ ଅଞ୍ଚଳରେ ରହୁଥିବା ଶିଳ୍ପୀମାନେ କିଭଳି ଡିଜିଟାଲ ପ୍ଲାଟଫର୍ମରେ ଯୋଗଦେଇପାରିବେ ସେନେଇ ଆଲୋଚନା କରିଥିଲେ। ରାଜ୍ୟର ୪,୦୦୦ ଶିଳ୍ପୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଖୁବ୍‌ଶୀଘ୍ର ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଓଡ଼ିଶା ଲଳିତକଳା ଏକାଡେମୀ ସଚିବ ଗଜେନ୍ଦ୍ର ସାହୁ କହିଥିଲେ। ପୁରୀ ଏମ୍‌ପି ପିନାକୀ ମିଶ୍ର, ପଞ୍ଚମୀ ଉକିଲ୍‌, ଆର୍ଟିଷ୍ଟ ଫେଡେରେଶନ ଅଫ୍‌ ଓଡ଼ିଶା ଫର୍‌ ଡିଜାଷ୍ଟର ଫିଲାନ୍‌ଥ୍ରୋପିର ସମ୍ପାଦକ କ୍ଷିତୀଶ ଦାଶ ପ୍ରମୁଖ ଭାଗନେଇଥିଲେ।

Share