ଓଡ଼ିଶାରେ ହ୍ରାସ ପାଉଛି ଦୁର୍ନୀତି

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଏକଦା ଦେଶର ଭୋକର ଭୂଗୋଳ ଥିବା ଓଡ଼ିଶା ଅନ୍ୟତମ ପ୍ରମୁଖ ଧାନ ଉତ୍ପାଦନକାରୀ ରାଜ୍ୟ ଭାବେ ଉଭା ହୋଇଛି। ସାରା ଭାରତବର୍ଷରେ ପୁଞ୍ଜିନିବେଶ ପାଇଁ ନିବେଶକମାନେ ଏତେଟା ଇଚ୍ଛା ପ୍ରକାଶ କରୁନାହାନ୍ତି। ଅପରପକ୍ଷରେ ସମାନ ସମୟରେ ସଂଖ୍ୟାଧିକ ନୂଆ ପୁଞ୍ଜି ଓଡ଼ିଶାରେ ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ଶିଳ୍ପସମୃଦ୍ଧ ଗୁଜରାଟ ଏବଂ ମହାରାଷ୍ଟ୍ର ସହ ଓଡ଼ିଶା ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରେ ମହାରାଷ୍ଟ୍ରକୁ ପଛକୁ ପକାଇ ଦେଇଛି। ପ୍ରଶାସନିକ ସରଳୀକରଣ, ଦୁର୍ନୀତି ବିରୋଧୀ କଡା ଆଭିମୁଖ୍ୟ ଯୋଗୁ ଏହା ସମ୍ଭବ ହୋଇଥିବା କୁହାଯାଇଛି। ସେହିକ୍ରମରେ ଆଉ ଏକ ସଫଳତା ଓଡିଶାକୁ ମିଳିଛି।
ଟ୍ରାନ୍ସପରେନ୍ସିଂ ଇଣ୍ଟରନ୍ୟାଶନାଲ ଇଣ୍ଡିଆ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ରାଜ୍ୟରେ ଅପେକ୍ଷାକୃତ କମ୍‌ ଦୁର୍ନୀତି ହୋଇଥିବା ଉଲ୍ଲେଖ କରାଯାଇଛି। ଏହି ସର୍ବେକ୍ଷଣରେ ୩ ଗୋଟି ବର୍ଗୀକରଣ କରାଯାଇଥିଲା। କେଉଁ ରାଜ୍ୟରେ କେତେ ଜନତା ବିଭିନ୍ନ କାର୍ଯ୍ୟ ପାଇଁ ଲାଞ୍ଚ ଦେଇ ଥାଆନ୍ତି, ସେ ନେଇ ସର୍ଭେ କରାଯାଇଥିଲା। ଶୂନ(୦)ରୁ ୪୯ ସର୍ବନିମ୍ନ ଦୁର୍ନୀତି ବର୍ଗ, ୫୦-୫୯କୁ ମଧ୍ୟମ ଦୁର୍ନୀତି ବର୍ଗ ଏବଂ ୬୦ କିମ୍ବା ତା’ଠାରୁ ଅଧିକକୁ ସର୍ବାଧିକ ଦୁର୍ନୀତି ବର୍ଗରେ ରଖାଯାଇଥିଲା। ଓଡ଼ିଶା, ପଶ୍ଚିମବଙ୍ଗ, ହରିୟାଣା,ଗୁଜରାଟ,କେରଳ ଓ ଗୋଆରେ ଦୁର୍ନୀତି ସ୍ତର ସାମାନ୍ୟ ରହିଛି। ଅପରପକ୍ଷରେ ପଞ୍ଜାବ, ରାଜସ୍ଥାନ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ତେଲେଙ୍ଗାନା, କର୍ନାଟକ ଏବଂ ତାମିଲନାଡୁରେ ଦୁର୍ନୀତି ସର୍ବାଧିକ ସ୍ତରରେ ରହୁଥିବା ଜଣାପଡିଛି। ସେହିପରି ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, ଆନ୍ଧ୍ର ପ୍ରଦେଶରେ ମଧ୍ୟମ ଧରଣର ଦୁର୍ନୀତି ହେଉଥିବା ଉଲ୍ଲେଖ କରାଯାଇଛି। ସେହିପରି ସଦ୍ୟ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ଜମ୍ମୁ ଓ କଶ୍ମୀର ଏବଂ ଲଦାଖ, ରାଜ୍ୟ ମଧ୍ୟରେ ହିମାଚଳ ପ୍ରଦେଶ , ସିକିମ୍‌, ଆସାମ, ମଣିପୁର, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ଏବଂ ଅରୁଣାଚଳ ପ୍ରଦେଶରେ ଏହି ସର୍ଭେ ହୋଇନାହିଁ। ଓଡ଼ିଶାରେ ଆରମ୍ଭ କରାଯାଇଥିବା ‘ମୋ ସରକାର’ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ମନ୍ତ୍ର ଆଗାମୀ ଦିନରେ ରାଜ୍ୟରେ ଦୁର୍ନୀତିକୁ ବହୁ ପରିମାଣରେ ହ୍ରାସ କରିବାରେ ସହାୟକ ହେବ ବୋଲି ସମୀକ୍ଷକମାନେ କହିଛନ୍ତି।

Share