ଭୁବନେଶ୍ୱର,୨୦।୧- କଟକର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ମ୍ୟାଚ୍ରେ ଓଡ଼ିଶା ଦଳ ପ୍ରଥମ ଇନିଂସରେ ୩୭ ରନ୍ର ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ଓଡ଼ିଶା ୧୬୧ ରନ୍ରେ ସୀମିତ ରହିଥିବାବେଳେ ଭ୍ରମଣକାରୀ ଜମ୍ମୁ-କଶ୍ମୀର ତା’ର ଅସମାପ୍ତ ଇନିଂସ ସ୍କୋର ୩୮/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଘରୋଇ ବୋଲର ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଓ ରାଜେଶ ମହାନ୍ତି ଘାତକ ବୋଲିଂର ସମ୍ମୁଖୀନ ହୋଇ ନ ପାରି ଜମ୍ମୁ-କଶ୍ମୀର ୧୨୪ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ବସନ୍ତ ଦଳର ସର୍ବାଧିକ କ୍ଷତି ଘଟାଇଥିଲେ। ସେ ୪ ଉଇକେଟ ଅକ୍ତିଆର କରିଥିବାବେଳେ ଦେବବ୍ରତ ୩, ସୂର୍ଯ୍ୟକାନ୍ତ ୨ ଓ ରାଜେଶ ମହାନ୍ତି ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଜମ୍ମୁ-କଶ୍ମୀର ପାଇଁ ଶୁଭମ ଖଜୁରିଆ ୪୦, ଆକ୍ୱୁବ ନବି ୨୩ ଓ ଅବଦୁଲ ସମାଦ ୨୦ ରନ୍ କରିଥିଲେ। ପରେ ୩୭ ରନ୍ର ଇନିଂସ ଅଗ୍ରଣୀ ହାସଲ କରିଥିବା ଓଡ଼ିଶା ତା’ର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରି ଲଞ୍ଚ ବ୍ରେକ ସୁଦ୍ଧା ବିନା କ୍ଷତିରେ ୧୬ ରନ୍ କରିଛି।