Categories: ଖେଳ

ଓଡ଼ିଶାର କ୍ରମାଗତ ୩ୟ ବୃହତ୍‌ ବିଜୟ

କଟକ, ୨୮।୧୨- ଫୁଲ ଫର୍ମରେ ଥିବା ଓଡ଼ିଶା ଦଳ ଚଳିତ ରଣ୍‌ଜୀ ଟ୍ରଫିରେ ଗୋଟିଏ ପରେ ଗୋଟିଏ ବୃହତ୍‌ ବିଜୟ ହାସଲ କରିଛି। ସ୍ଥାନୀୟ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ୧୦ ଉଇକେଟରେ ଜିତି ନେଇଛି। ଫଳରେ ଏଲିଟ ଗ୍ରୁପ ସି’ରେ ଥିବା ଓଡ଼ିଶା ୩ ମ୍ୟାଚ୍‌ରୁ ୨୧ ପଏଣ୍ଟ ସହ ଶୀର୍ଷରେ ରହିଛି।
ପ୍ରଥମ ଇନିଂସରେ ଉତ୍ତରାଖଣ୍ଡର ୧୧୭ ଜବାବରେ ଘରୋଇ ଦଳ ୨୫୩ ରନ୍‌ କରିଥିଲା। ପରେ ୧୩୬ ରନ୍‌ ପଛରେ ଥିବା ଉତ୍ତରାଖଣ୍ଡ ତା’ର ଅସମାପ୍ତ ଇନିଂସ ସ୍କୋର ୫୪/୪ରୁ ବ୍ୟାଟିଂ ଆରମ୍ଭ କରି ବଳକା ୬ ଉଇକେଟରେ ୧୪୧ ରନ୍‌ ଯୋଡ଼ି ପାରିଥିଲା। ଧନଞ୍ଜୟ ଶର୍ମା ୫୦ ଓ ଦୀକ୍ଷାଂଶୁ ନେବି ୪୦ ରନ୍‌ କରିଥିଲେ। ଓଡ଼ିଆ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ସର୍ବାଧିକ ୫ ଉଇକେଟ ନେଇଥିଲେ। ସେହିଭଳି ବସନ୍ତ ମହାନ୍ତି ୩ ଉଇକେଟ ହାସଲ କରିଥିବାବେଳେ ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଫଳରେ ଘରୋଇ ଦଳ ଆଗରେ ୫୯ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ୨୧.୪ ଓଭରରେ ଓଡ଼ିଶା ଦଳ କୌଣସି ଉଇକେଟ ନ ହରାଇ ୬୩ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ବିଜୟୀ ଦଳ ଲାଗି ଶାନ୍ତନୁ ମିଶ୍ର ୨୯ ଓ ଗୋବିନ୍ଦ ପୋଦ୍ଦାର ୨୬ ରନ୍‌ କରି ଅପରାଜିତ ଥିଲେ। ଅନ୍ୟତମ ଓପନର ଦେବାଶିଷ ସାମନ୍ତରାୟ (୭) ଆହତ ହୋଇ ପ୍ୟାଭିଲିୟନ ଫେରିଯାଇଛନ୍ତି। ତାଙ୍କ ଆହତ ସମସ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ମ୍ୟାଚ୍‌ରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ଶାନ୍ତୁନଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

Share