ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା

ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ ଓ ସବୁଜିମା ବର୍ଷସାରା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

ଚିଲିକା

ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲା ଉପକୂଳରେ ରହିଥିବା ଲବଣାକ୍ତ ହ୍ରଦ ଚିଲିକା ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣର ସ୍ଥଳ।ଏହାର ୧୧୦୦ବର୍ଗ କିଲୋମିଟର ନୀଳ ଜଳରାଶି ଶୀତଋତୁ ଆସିଲେ ଅତିଥି ପକ୍ଷୀଙ୍କ ଗହଣରେ ଅଧିକ ମନୋରମ ହୋଇଉଠେ। ଏହା ପୃଥିବୀର ଦ୍ୱିତୀୟ ବୃହତ୍ତମ ଉପକୂଳବର୍ତ୍ତୀ ହ୍ରଦ।

ଶିମିଳିପାଳ

ଜୈବ ବିବିଧତାରେ ପରିପୂର୍ଣ୍ଣ ମୟୂରଭଞ୍ଜ ଜିଲାର ଶିମିଳିପାଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ୨୭୫୦ବର୍ଗ କିଲୋମିଟର ବିଶିଷ୍ଟ ଏହି ବ୍ୟାଘ୍ର ଅଭୟାରଣ୍ୟରେ ରହିଛି ଏକାଧିକ ପାହାଡ଼, ଝରଣା ଓ ନଦୀ। ସବୁଜ ବୃକ୍ଷରାଜି ଘେରା ଜଙ୍ଗଲ ଭିତରେ ପରିଭ୍ରମଣର ସୁଯୋଗ ରହିଛି।

ସାତକୋଶିଆ

ଅନୁଗୋଳ ଜିଲାର ମହାନଦୀ ଅବବାହିକାରେ ଅବସ୍ଥିତ ପରିବେଶ ପର୍ଯ୍ୟଟନ ସ୍ଥଳ ସାତକୋଶିଆ। ବାଘ ଓ ହାତୀ ସଂରକ୍ଷଣ ପ୍ରକଳ୍ପ ପାଇଁ ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରି ଆସିଥିବା ଏହି ସ୍ଥାନରେ ରହିଛି ମହାନଦୀର ଗଭୀରତମ ଗଣ୍ଡ। ୨୧ କିଲୋମିଟର ପରିବ୍ୟାପ୍ତ ଏହି ଗଣ୍ଡରେ ଘଡ଼ିଆଳ କୁମ୍ଭୀର ପ୍ରଜନନ କେନ୍ଦ୍ର ମଧ୍ୟ ରହିଛି।

କନିକା ରାଜପ୍ରାସାଦ

କେନ୍ଦ୍ରାପଡ଼ା ଜିଲା ରାଜକନିକା ଠାରେ ବ୍ରିଟେନର ବଙ୍କିମ୍‌ହାମ୍‌ ପ୍ୟାଲେସ ଢାଞ୍ଚାରେ ନିର୍ମିତ କନିକା ରାଜପ୍ରାସାଦ। ଏହି ପ୍ରାସାଦ ଏବେ କନିକା ମ୍ୟୁଜିୟମ ନାମରେ ଜଣାଶୁଣା। ବୃହତ୍ତମ କୁମ୍ଭୀର ମୁଣ୍ଡ, ବିରଳ ଭାସ୍କର୍ଯ୍ୟ ଏବଂ ରାଜାରାଜୁଡ଼ା ଅମଳର ସଂରକ୍ଷିତ ଅନ୍ୟାନ୍ୟ ସାମଗ୍ରୀ ଦେଖିବା ପାଇଁ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଜମିଥାଏ।

Share