ଓଡ଼ିଶାର ହସ୍ତଶିଳ୍ପୀ, ବୁଣାକାରଙ୍କ ପାଇଁ କାର୍ଯ୍ୟ କରିବ ‘ଫ୍ଲିପ୍‌କାର୍ଟ ସମର୍ଥ’

ଭୁବନେଶ୍ୱର, ୧ା୧୨(ବ୍ୟୁରୋ): ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଓ କମର୍ସ ମଞ୍ଚ ଫ୍ଲିପ୍‌କାର୍ଟ ମଧ୍ୟରେ ଶନିବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ପାଇଁ ବ୍ୟବସାୟିକ ତଥା ବାଣିଜି୍ୟକ ସୁବିଧାର ପରିବୃଦ୍ଧି ପାଇଁ ହୋଇଥିବା ଏହି ବୁଝାମଣାପତ୍ର ମାଧ୍ୟମରେ ଓଡ଼ିଶାରେ ଫ୍ଲିପ୍‌କାର୍ଟ ଗ୍ରୁପ୍‌ ପକ୍ଷରୁ ‘ଫ୍ଲିପ୍‌କାର୍ଟ ସମର୍ଥ’ ଆପ୍‌ କାର୍ଯ୍ୟକାରୀ କରାଯିବ। ଏହି ଆପ୍‌ ଜରିଆରେ ବୁଣାକାର ଓ ହସ୍ତଶିଳ୍ପୀ କାରିଗରମାନେ ରାଜ୍ୟର ହଲ୍‌ମାର୍କ ଉତ୍ପାଦ ସହ ଜାତୀୟ ବଜାରରେ ପ୍ରବେଶ ପାଇଁ ସମର୍ଥ ହେବେ। ରାଜ୍ୟର ଅନୁମୋଦିତ ଉଦ୍ୟୋଗ ଓ ସରକାରୀ ସଂସ୍ଥା, ଯେଉଁମାନେ ଓଡ଼ିଶାର ସ୍ଥାନୀୟ ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ବଜାର ପ୍ରବେଶ, ତାଲିମ ଓ ସହାୟତା ଯୋଗାଇ ଦେବା ପାଇଁ କାର୍ଯ୍ୟ କରିଥାନ୍ତି, ରାଜ୍ୟ ସରକାର ଫ୍ଲିପ୍‌କାର୍ଟ ଗ୍ରୁପ୍‌ ସହ ମିଶି ସେମାନଙ୍କୁ ସହଯୋଗ କରିବେ। ଏହି ପଦକ୍ଷେପ ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ସେମାନଙ୍କ ଉତ୍ପାଦର ବିକ୍ରି ଲାଗି ଇ-କମର୍ସ ମଡେଲର ସୁବିଧା ସୁଯୋଗ ପାଇପାରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share