Categories: ରାଜ୍ୟ

ଓଡ଼ିଶାର ୩ ରାଜ୍ୟ ସଭା ଆସନ ପାଇଁ ବାଜିଲା ବିଗୁଲ୍‌

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଓଡ଼ିଶାର ଖାଲିପଡ଼ିିଥିବା ୩ଟି ରାଜ୍ୟ ସଭା ଆସନରେ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଶନିବାର ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି। ନିର୍ବାଚନ ପାଇଁ ଆସନ୍ତା ୧୮ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ଆସନ୍ତା ୨୫ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ। ଜୁନ୍‌ ୨୬ରେ ନାମାଙ୍କନ ଯାଞ୍ଚ କରାଯିବ। ୨୮ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ଯଦି ଏହିସବୁ ଆସନ ଲାଗି ନିର୍ବାଚନ ଆବଶ୍ୟକ ପଡ଼େ ତେବେ ଜୁଲାଇ ୫ରେ ମତଦାନ କରାଯିବ। ସେହିଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ। ୫ଟା ପରେ ଭୋଟ ଗଣତି କରାଯିବ। ଜୁଲାଇ ୯ତାରିଖ ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ବିଧାନସଭାରେ ଏବେ ବିଜେଡିର ଆସନ ସଂଖ୍ୟାକୁ ଦେଖିଲେ ସମସ୍ତ ୩ଟି ଯାକ ରାଜ୍ୟ ସଭା ପଦ ଶାସକ ଦଳ ହାତକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ପ୍ରକାଶ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୬ଜଣ ରାଜ୍ୟ ସଭା ସଦସ୍ୟଙ୍କୁ ପ୍ରାର୍ଥୀ କରିଥିଲା। ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି, ପ୍ରତାପ ଦେବ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସରୋଜିନୀ ହେମ୍ବ୍ରମ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନ ପରେ ବିଜୟୀ ହୋଇଥିବା ୩ ନେତା ପ୍ରତାପ, ଅଚ୍ୟୁତ ଏବଂ ସୌମ୍ୟରଞ୍ଜନ ରାଜ୍ୟ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଖାଲି ହୋଇଥିବା ୩ ରାଜ୍ୟ ସଭା ପଦବୀ ମଧ୍ୟରୁ ସୌମ୍ୟରଞ୍ଜନ ଏବଂ ଅଚ୍ୟୁତଙ୍କ କାର୍ଯ୍ୟକାଳ ୩ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ରହିଥିଲା। ସେହିପରି ପ୍ରତାପ ଦେବଙ୍କ କାର୍ଯ୍ୟକାଳ ୧ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ରହିଥିଲା। ତେଣୁ ସୌମ୍ୟ ଏବଂ ଅଚ୍ୟୁତଙ୍କ ସ୍ଥାନରେ ଯେଉଁମାନେ ରାଜ୍ୟ ସଭାକୁ ଯିବେ ସେମାନେ ୫ ବର୍ଷ ଲାଗି ସଦସ୍ୟ ରହିପାରିବେ। ପ୍ରତାପଙ୍କ ସ୍ଥାନରେ ଯିଏ ରାଜ୍ୟ ସଭା ଯିବେ ସେ ୩ ବର୍ଷ ପାଇଁ ସଦସ୍ୟ ରହିବେ। ପ୍ରତାପ ଦେବ ଆଳି ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାୟକ ହୋଇଛନ୍ତି। ସେହିପରି ସୌମ୍ୟ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ଅଚ୍ୟୁତ କନ୍ଧମାଳ ଲୋକ ସଭା ଆସନରୁ ବିଜୟୀ ହୋଇ ଏମ୍‌ପି ହୋଇଛନ୍ତି।

Share