ଓଡ଼ିଶାର ୮ ଜିଲାରେ ଆବଦ୍ଧ ଅଞ୍ଚଳ

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଓଡ଼ିଶାରେ ବୁଧବାର ସୁଦ୍ଧା ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ମୋଟ ୮ ଜିଲାରେ ସଂକ୍ରମିତ ଥିବା କେତେକ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ବୁଧବାର ରାଜ୍ୟରେ କରୋନା ସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି, ଖୋର୍ଦ୍ଧା ଜିଲାରେ ୪ଟି ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏଠାରେ ଥିବା ସର୍ବାଧିକ ୩୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେଣୁ ଆବଦ୍ଧ ଅଞ୍ଚଳ ଭାବେ ଭୁବନେଶ୍ୱରର ସୂର୍ଯ୍ୟନଗର, ସୁନ୍ଦରପଦାରୁ ଯଦୁପୁର, ବମିଖାଲ ଓ ସତ୍ୟନଗରକୁ ଘୋଷଣା ସହ ସିଲ୍‌ କରାଯାଇଛି। ସେହିପରି କଟକ ଜିଲାରେ ଜଣେ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ଟି କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି। ନିଶ୍ଚିତକୋଇଲି ତହସିଲ୍‌ ଅନ୍ତର୍ଗତ ଜୟରାମପୁର ଗ୍ରାମ ପଞ୍ଚାୟତର ଏକ ନମ୍ବର ୱାର୍ଡ଼ ଏବଂ ସାଲେପୁର ତହସିଲ୍‌ର ମିର୍ଜାପୁର ଗ୍ରାମପଞ୍ଚାୟତର ଓ୍ବାର୍ଡ ନଂ.୧୨ ଓ ୧୩, କଟକ ବକ୍ସିବଜାର ଛକରୁ ସାଇନ୍ସ କଲେଜ୍‌, ସୂତାହାଟ ମସଜିଦ୍‌ ଛକରୁ ତିନିକୋଣିଆ ବଗିଚା ପର୍ଯ୍ୟନ୍ତ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇ ସିଲ୍‌ କରାଯାଇଛି। ସଂକ୍ରମଣ ଏଡ଼ାଇବା ପାଇଁ ଗଞ୍ଜାମ ଜିଲା ଚିକିଟି ବ୍ଲକ୍‌ର ଲାଲମେଣ୍ଟା ଗାଁକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଯାଜପୁର ଜିଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। କେନ୍ଦ୍ରାପଡ଼ା ଜିଲାର ଆଳି ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଥିବାରୁ ରାଧାନଗର, ବଳଭଦ୍ରପୁର, ଶୀତଳେଶ୍ୱର, ଶିଳାସ୍ତମ୍ବ, ନିଆଳ, ଗଉଡ଼ପାଟଣା, ଭାଟପଡ଼ା, ମେଣ୍ଢପୁର, କଣ୍ଟିପୁର, ଗୋପ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇ ସିଲ୍‌ କରାଯାଇଛି। ସେହିପରି ପୁରୀରୁ ଜଣେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦାନଗହୀର ଗାଁ ଛକ, ଜୟପୁର ଶାସନ ଛକ, ପିପିଲି ବ୍ଲକ୍‌ର ଜୟପୁର ଛକ ଶାସନ ଛକକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଭଦ୍ରକର ୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ପୁରୁଣା ବଜାର, ଚରମ୍ପା ରେଲୱେ ଷ୍ଟେଶନ ଅଞ୍ଚଳ, ଏରିନ୍‌ ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସେହିପରି କଳାହାଣ୍ଡି ଜିଲାର ଗୋଲ୍‌ମୁଣ୍ଡା ବ୍ଲକ୍‌ରୁ ଗୋଟିଏ ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ବେହେରାଗୁଡ଼ା, ପର୍ଜିୟା ଏବଂ ଖମାର ହଳଦୀକୁ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯିବା ସହ ସିଲ୍‌ କରାଯାଇଛି।

Share