ଓଡ଼ିଶା ଆସିଲାଣି ୬୪ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌: ଆଜି ଭବାନୀପାଟଣାରେ ପହଞ୍ଚିବ ଗୁଜରାଟ ଟ୍ରେନ୍‌

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଲକ୍‌ଡାଉନ୍‌ ପାଇଁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଓଡ଼ିଶା ଫେରାଇ ଅଣାଯାଉଛି। ୧୮ ତାରିଖ ସୁଦ୍ଧା ମୋଟ ୬୪ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ବିଭିନ୍ନ ରାଜ୍ୟରୁ ଶ୍ରମିକମାନଙ୍କୁ ନେଇ ଓଡ଼ିଶା ପହଞ୍ଚିଛି ।
ପୂର୍ବତଟ ରେଳପଥର ସୂଚନା ମୁତାବକ, ମେ’ ୧୭ ରବିବାର ପର୍ଯ୍ୟନ୍ତ ଓଡ଼ିଶାରେ ମୋଟ ୬୦ଟି ଶ୍ରମିକ ଟ୍ରେନ୍‌ ପହଞ୍ଚିଛି । ଏହିଦିନ ମହାରାଷ୍ଟ୍ରର ପାଲଘର ସହ ଅହମ୍ମଦାବାଦ, ସୁରଟ ଓ ବେଙ୍ଗାଲୁରୁରୁ ୬ଟି ଟ୍ରେନ୍‌ ଓଡ଼ିଶା ଆସିଥିବାବେଳେ ସୋମବାର ଆଉ ୪ଟି ଶ୍ରମିକ ଟ୍ରେନ୍‌ ଓଡ଼ିଶା ଆସିଛି। ଏଥିମଧ୍ୟରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ତାମିଲନାଡ଼ୁର ତିରୁଭାଲ୍ଲୁର ଏବଂ ଗୁଜରାଟର ରାଜକୋଟରୁ ବାହାରିଥିବା ୩ଟି ଟ୍ରେନ୍‌ ବଲାଙ୍ଗୀରରେ ଯାତ୍ରୀଙ୍କୁ ଓହ୍ଲାଇଥିବାବେଳେ ଗୁଜରାଟ ମୋରବୀରୁ ଆସିଥିବା ଏକ ସ୍ବତନ୍ତ୍ର ଟ୍ରେନ୍‌ ବାଲେଶ୍ୱର ଷ୍ଟେଶନରେ ପହଞ୍ଚିଛି । ସେହିଭଳ ଗୁଜରାଟ ରାଜକୋଟରୁ ଓଡ଼ିଆ ଶ୍ରମିକମାନଙ୍କୁ ନେଇ ବାହାରିଥିବା ଆଉଏକ ସ୍ବତନ୍ତ୍ର ଟ୍ରେନ୍‌ ମଙ୍ଗଳବାର ଭବାନୀପାଟଣାରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Share