Categories: ଖେଳ

ଓଡ଼ିଶା ଏଫସି ଛାଡ଼ିଲେ ଗମ୍ବାଉ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ପ୍ରଥମ ପଦାର୍ପଣରେ ପ୍ରଦର୍ଶନର ଛାପ ଛାଡ଼ିଥିବା ଓଡ଼ିଶା ଏଫସି କୋଚ୍‌ ଜୋସେପ ଗମ୍ବାଉ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ପାରିବାରିକ ସମସ୍ୟା ଯୋଗୁ ସେ କୋଚ୍‌ ପଦ ଛାଡ଼ିଥିବା ଓଡ଼ିଶା ଏଫସି ପକ୍ଷରୁ ପ୍ରକାଶ କରାଯାଇଛି। ଏ ସମ୍ପର୍କରେ କ୍ଲବ ସଭାପତି ରୋହନ ଶର୍ମା କହିଛନ୍ତି ଯେ, ” ତାଙ୍କ ଜୀବନରେ ଏପରି ସମୟ ଆସିଛି ଯାହାକି ଫୁଟବଲଠାରୁ ଗୁରୁତ୍ୱପୂର୍ଣ୍ଣ। ତେବେ କ୍ଲବ ପାଇଁ ଯାହା କିଛି କରିଛନ୍ତି ସେଥିପାଇଁ ମୁଁ କୋଚ୍‌ ଗମ୍ବାଉ ଏବଂ ତାଙ୍କ କୋଚିଂ ଷ୍ଟାଫ୍‌ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ସେମାନେ ଯେଉଁଆଡ଼େ ଗଲେ ମଧ୍ୟ ଓଡ଼ିଶା ପ୍ରତି ନିଶ୍ଚିତ ଆନ୍ତରିକତା ରହିବ“। ଏପରି ନିଷ୍ପତ୍ତି କଷ୍ଟକର ଥିଲା ବୋଲି ଗମ୍ବାଉ ପ୍ରକାଶ କରିଛନ୍ତି। ”ଏପରି ଏକ ନିଷ୍ପତ୍ତି ନେବା ମୋ ପାଇଁ ସହଜ ନ ଥିଲା। ଓଡ଼ିଶାରେ ମୁଁ ମୋ ଭୂମିକାକୁ ମନଭରି ଉପଭୋଗ କରିଛି। ଦଳକୁ ଯେପରିଭାବେ ପ୍ରସ୍ତୁତ କରିଛି ସେଥିପାଇଁ ମୁଁ ଗର୍ବିତ ମଧ୍ୟ। ତେବେ ମୁଁ ଯେପରିଭାବେ ଆରମ୍ଭ କରିଥିଲି ସେପରି ଶେଷ କରିପାରୁ ନ ଥିବାରୁ ବହୁତ ଦୁଃଖିତ। ମୁଁ ସର୍ବଦା ଓଡ଼ିଶା ଏଫସିର ସଫଳତା କାମନା କରିବି“ ବୋଲି ଗମ୍ବାଉ କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ସ୍ପେନର ଗମ୍ବାଉ ୨୦୧୮ ଜୁଲାଇରେ ଦିଲ୍ଲୀ ଡାଇନାମସ କ୍ଲବ ସହିତ ଯୋଗ ଦେଇଥିଲେ। ୨୦୧୯ ମେ ପର୍ଯ୍ୟନ୍ତ ସେ ଏହି ଦଳକୁ ପ୍ରଶିକ୍ଷଣ ଦେଇଥିଲେ। ଏହାପରେ ଦିଲ୍ଲୀ ଡାଇନାମସ ଓଡ଼ିଶା ଏଫସିରେ ପରିଣତ ହୋଇଥିଲା। ମୁଖ୍ୟ କୋଚ୍‌ ଭାବେ ଗମ୍ବାଉ ୨୦୧୯ ଅଗଣ୍ଟରୁ ଏପର୍ଯ୍ୟନ୍ତ ଓଡ଼ିଶା ଏଫସିକୁ ଗାଇଡ୍‌ କରି ଆସୁଥିଲେ। ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଏଫସି ନିଜର ପ୍ରଥମ ସିଜନରେ ହିଁ ଚମତ୍କାର ପ୍ରଦର୍ଶନ କରିଥିଲା। ଅନେକ ଦିନ ପର୍ଯ୍ୟନ୍ତ ପଏଣ୍ଟ ଟେବୁଲର ଶୀର୍ଷ ୪ରେ ରହିବାପରେ ଶେଷରେ ଦଳ ୬ଷ୍ଠ ସ୍ଥାନରେ ରହି ସିଜନ ଶେଷ କରିଥିଲା। ଦଳ ୧୮ଟି ମ୍ୟାଚ ଖେଳିଥିବାବେଳେ ୭ଟି ବିଜୟୀ ହୋଇଥିଲା ଏବଂ ୭ ମ୍ୟାଚରେ ପରାଜୟ ବରଣ କରିଥିଲା। ଅବଶିଷ୍ଟ ୪ଟି ମ୍ୟାଚ ଡ୍ର ରଖି ୨୫ ପଏଣ୍ଟ ପାଇଥିଲା ଏହି ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜ୍‌। ଦଳ ୨୮ଟି ଗୋଲ ଦେଇଥିବାବେଳେ ୩୧ ଗୋଲ ବରଣ କରିଥିଲା।
ଇଣ୍ଡିଆନ ସୁପରଲିଗ୍‌ରେ ଦିଲ୍ଲୀ ଡାଇନାମସ-ଓଡ଼ିଶା ଏଫସିର ରେକର୍ଡ ଦେଖିଲେ ୫ମ କୋଚ୍‌ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଗମ୍ବାଉ। ୨୦୧୪ ଅଗଷ୍ଟରୁ ଡିସେମ୍ବର ପର୍ଯ୍ୟନ୍ତ ନେଦରଲାଣ୍ଡ୍ସର ହାର୍ମ ଭାନ୍‌ ଭେଲଡୋଭେନ ପ୍ରଥମ କୋଚ୍‌ଭାବେ କାର୍ଯ୍ୟ କରିଥିଲେ। ବ୍ରାଜିଲର ରବର୍ଟ କାର୍ଲୋସ ୨୦୧୫ ଜୁଲାଇରୁ ଡିସେମ୍ବର, ଇଟାଲୀର ଜିଆନଲୁକା ଜାମ୍ବ୍ରୋଟା ୨୦୧୬ ଜୁଲାଇରୁ ଡିସେମ୍ବର, ସ୍ପେନର ମିଗୁଏଲ ଆଞ୍ଜେଲ ପର୍ତ୍ତୁଗାଲ ୨୦୧୭ ଜୁଲାଇରୁ ୨୦୧୮ ମେ ପର୍ଯ୍ୟନ୍ତ ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଇଥିଲେ। ୨୦୧୯ ଅଗଷ୍ଟରୁ ସିଜନ ଶେଷ ପର୍ଯ୍ୟନ୍ତ ଗମ୍ବାଉଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଏଫସିର ବିଜୟ ହାର ଥିଲା ୩୮.୮୯।

Share