Categories: ଖେଳ

ଓଡ଼ିଶା ଏଫ୍‌ସି ସହିତ ଡାନିଏଲଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୭।୩(କ୍ରୀଡ଼ା ପ୍ରତିନିଧି)-
ଭୁବନେଶ୍ୱର ଭିତ୍ତିକ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ) କ୍ଲବ ଓଡ଼ିଶା ଏଫସି ସେଣ୍ଟର ଫରଓ୍ବାର୍ଡ ଡାନିଏଲ ଲାଲହିଲିମପୁଇଆଙ୍କ ଚୁକ୍ତି ମିଆଦ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଶୁକ୍ରବାର ମିଜୋରାମ ଷ୍ଟ୍ରାଇକରଙ୍କ ସହ ଏ ସମ୍ପର୍କିତ ଚୁକ୍ତିପତ୍ର ସ୍ବାକ୍ଷର ହୋଇଥିବା ଓଡ଼ିଶା ଏଫସି ପକ୍ଷରୁ ପ୍ରକାଶ କରାଯାଇଛି। ପୂର୍ବରୁ ଚେନ୍ନାଇନ୍‌ ଏଫସି ଓ ବେଙ୍ଗାଲୁରୁ ଏଫସି ପକ୍ଷରୁ ଆଇଏସଏଲ ଖେଳିବା ପରେ ଡାନିଏଲ ୨୦୧୮ରେ ଦିଲ୍ଲୀ ଡାଇନାମସ ସହିତ ଚୁକ୍ତି କରିଥିଲେ। ଗତ ସିଜନ ଶେଷରେ ଦିଲ୍ଲୀ ଡାଇନାମସ ଓଡ଼ିଶା ଏଫସିରେ ପରିଣତ ହୋଇଥିଲା। ଚଳିତ ସିଜନରେ ୨୨ ବର୍ଷୀୟ ଡାନିଏଲ ଓଡ଼ିଶା ଏଫସି ପକ୍ଷରୁ ୧୬ଟି ମ୍ୟାଚ ଖେଳିଛନ୍ତି। ”ଡାନିଏଲ ଜଣେ ପ୍ରତିଭା ସମ୍ପନ୍ନ ଯୁବ ଖେଳାଳି। ସେ କଠିନ ପରିଶ୍ରମ କରନ୍ତି ଏବଂ ଦଳ ପ୍ରତି ତାଙ୍କର ଉତ୍ସର୍ଗିକୃତ ମନୋଭାବ ରହିଛି। ଓଡ଼ିଶା ଏଫସି ସହିତ ଖେଳିବାଦ୍ୱାରା ତାଙ୍କ ପ୍ରଦର୍ଶନରେ ଉନ୍ନତି ହୋଇଛି, ଆଗାମୀ ଦିନରେ ସେ ଶ୍ରେଷ୍ଠ ପ୍ରଦର୍ଶନ କରିପାରିବେ। ଗତ କିଛିବର୍ଷ ଧରି ପ୍ରଦର୍ଶନ ସନ୍ତୋଷଜନକ ରହିଥିବାରୁ ଆମେ ତାଙ୍କ ଚୁକ୍ତିମିଆଦ ଆଉ କିଛି ବର୍ଷ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଲୁ। ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା“ ବୋଲି ଓଡ଼ିଶା ଏଫସି ମାଲିକ ରୋହନ ଶର୍ମା ପ୍ରକାଶ କରିଛନ୍ତି। ନିଜେ ଡାନିଏଲ ମଧ୍ୟ ଖୁସି ଜାହିର କରିଛନ୍ତି। ”ଓଡ଼ିଶା ଏଫସି ପରିବାର ସହିତ ମୋତେ ଅଧିକ ଦିନଧରି ରହିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି। ମୁଁ ଗତ ଦୁଇ ବର୍ଷ ଧରି କଠିନ ପରିଶ୍ରମ କରି ଆସୁଛି। ଆଗାମୀ ଦିନରେ ଓଏଫସି ପାଇଁ ଅଧିକ ସଫଳତା ଆଣିବାକୁ ଚେଷ୍ଟା କରିବି। ଚୁକ୍ତି ମିଆଦ ବଢ଼ିଥିବାରୁ ମୁଁ କୋଚ୍‌, ସପୋର୍ଟ ଷ୍ଟାଫ୍‌ ଓ କ୍ଲବ ମ୍ୟାନେଜମେଣ୍ଟ ନିକଟରେ କୃତଜ୍ଞ“ ବୋଲି ଡାନିଏଲ ପ୍ରକାଶ କରିଛନ୍ତି।

Share