ଓଡ଼ିଶା ଗୃହ ନିର୍ମାଣ ସଂସ୍ଥାର ଅନୁଗୋଳ ପ୍ରକଳ୍ପ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମାଣ ହେବାକୁ ଥିବା ଅନୁଗୋଳ ଏନ୍‌କ୍ଲେଭ ପ୍ରକଳ୍ପ ପାଇଁ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଏକ ନୂତନ ପ୍ରକଳ୍ପ କାର୍ଯ୍ୟାଳୟ ଅନୁଗୋଳ ସହରର ହେମସରପଡା ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି।
ଏହି ଅବସରରେ ଅଧ୍ୟକ୍ଷ କହିଛନ୍ତି ଯେ ଖୁବ୍‌ଶୀଘ୍ର ଅନୁଗୋଳ ଏନ୍‌କ୍ଲେଭର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହି ପ୍ରକଳ୍ପ କାର୍ଯ୍ୟାଳୟରୁ ଗୃହ ପାଇଁ ଆବେଦନକାରୀମାନେ ପ୍ରକଳ୍ପ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ। ଏଥିପାଇଁ ଭୁବନେଶ୍ୱର କାର୍ଯ୍ୟାଳୟକୁ ବାରମ୍ବାର ଯିବାକୁ ପଡିବ ନାହିଁ। ଏହି ପ୍ରକଳ୍ପରେ ଗୃହ ପାଇବାର ଶେଷ ତାରିଖକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କରାଯାଇଛି। ପୂର୍ବରୁ ଏହା ନଭେମ୍ବର ୩୦ ତାରିଖ ଯାଏ ଥିଲା। ସ୍ଥାନୀୟ ଲୋକଙ୍କ ଅନୁରୋଧକୁ ରକ୍ଷା କରାଯାଇ ଏହି ଆବେଦନ କରିବାର ଅବଧିକୁ ବୃଦ୍ଧି କରାଯାଇଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରି ହସ୍ତାନ୍ତର କରିବାକୁ ଉପସ୍ଥିତ ଯନ୍ତ୍ରୀ ଓ ଠିକାଦାରମାନଙ୍କୁ ଅଧ୍ୟକ୍ଷ କହିଛନ୍ତି। ଏଥିସହିତ ପ୍ରକଳ୍ପର ଗୁଣାତ୍ମକମାନ ବଜାୟ ରଖିବା ସହ ଗୃହଗୁଡିକ ବୁକିଂ ସମୟରେ ଥିବା ମୂଲ୍ୟରେ କୌଣସି ବୃଦ୍ଧି କରାଯିବ ନାହିଁ ବୋଲି ଅଧ୍ୟକ୍ଷ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୩୧ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୮୨ଟି ଘର ନିର୍ମାଣ କରାଯିବ। ଉତ୍ସବରେ ଯୋଗ ଦେଇ ସଂସ୍ଥାର ସଚିବ ଗଙ୍ଗାଧର ପାତ୍ର କହିଛନ୍ତି ଯେ ପ୍ରକଳ୍ପରେ ଯେପରି କୌଣସି ଅନିୟମିତତା ନ ହେବ ସେଥିପ୍ରତି ସଜାଗ ରହିବାକୁ ହେବ। ଏହାଛଡା ଅନୁଗୋଳ ଏନ୍‌କ୍ଲେଭରେ ଗୃହ କିଣିବା ପାଇଁ ଆଶାୟୀମାନଙ୍କୁ ବ୍ୟାଙ୍କ ସହଯୋଗ ଯୋଗାଇ ଦେବାକୁ ଘୋଷଣା କରାଯାଇଛି।

Share