ଓଡ଼ିଶା-ଛତିଶଗଡ଼ ସୀମା ବିବାଦ ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ପ୍ରଶାସନି ଟିମ୍‌

ସିନାପାଲି,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା ସିନାପାଲି ତହସିଲ ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ନୂଆମାଲପଡା ଗ୍ରାମ ଚାଷୀଙ୍କ ଜମିକୁ ଜବରଦସ୍ତ ଛଡାଇ ନେଇ ଛତିଶଗଡ ରାଜ୍ୟର ଚାଷୀ ଚାଷ କରୁଥିବା ଅଭିଯୋଗ ହେଉଛି। ଏହି ଘଟଣା ସମ୍ପର୍କରେ ମଙ୍ଗଳବାର ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ପ୍ରଶାସନ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ନୂଆପଡା ଅତିରିକ୍ତ ଜିଲାପାଳ ସୀତାରାମ ପଟେଲଙ୍କ ନିର୍ଦ୍ଦେଶରେ ସିନାପାଲି ତହସିଲଦାର କପିଳଦେବ ସାହୁ, ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି ଓ କେନ୍ଦୁମୁଣ୍ଡା ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳକୁ ଯାଇଥିଲେ। ବିବାଦୀୟ ସ୍ଥାନରେ ମାପ କରିଥିବା ଜଣାପଡିଛି । ଛତିଶଗଡ ରାଜ୍ୟ ଚାଷୀମାନେ ଓଡିଶା ଜମି ଉପରେ ମକା ଚାଷ କରିଥିବା ଘଟଣାକୁ ତଦନ୍ତକାରୀ ଅଫିସର ସ୍ବୀକାର କରିଥିଲେ ମଧ୍ୟ ଅଭିଯୋଗ ଅନୁସାରେ ୨୫ ଏକର ଜମିକୁ ସେମାନେ ଜବରଦଖଲ କରି ନ ଥିବା ପ୍ରକାଶ କରିଛନ୍ତି। କିନ୍ତୁ କିଛି ସ୍ଥାନରେ ସେମାନେ ମକା ଚାଷ କରିଥିବା ତଦନ୍ତ ବେଳେ ଜଣାପଡିଛି। ତଦନ୍ତ ବେଳେ ଉଭୟ ରାଜ୍ୟର ପଡୋଶୀ ଦୁଇ ଗ୍ରାମ ନୂଆମାଲପଡା ଓ ବୁର୍ଜାବାହାଲର ଚାଷୀମାନେ ଉପସ୍ଥିତ ଥିଲେ। ଉଭୟଙ୍କୁ ତଦନ୍ତକାରୀ ପ୍ରଶାସନିକ ଅଧିକାରୀମାନେ ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ବୁଝାଶୁଝା କରିଥିଲେ। ହେଲେ ସୀମା ନିର୍ଦ୍ଧାରଣ ନେଇ କୌଣସି ସ୍ପଷ୍ଟ ହୋଇ ନ ଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୦୧୮ରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଘଟଣାସ୍ଥଳକୁ ଆସି ତଦନ୍ତ କରିବା ପରେ ଓଡିଶା ସୀମାରେ ତାରବାଡ ଦେବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଶାସନ କେବଳ ଏକତରଫା ଖୁଣ୍ଟପୋତି ବାଡ ତିଆରି ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ଫଳରେ ଦୁଇ ପଡୋଶୀ ଗ୍ରାମ ମଧ୍ୟରେ ଏହି ଘଟଣାକୁ ନେଇ ତିକ୍ତତା ବୃଦ୍ଧି ପାଇବାରେ ଲାଗୁଛି ।