ଓଡ଼ିଶା ଜାଗାରେ ଆନ୍ଧ୍ରର ଦାଦାଗିରି : ଜାଗା, ଗଛକଟାକୁ ନେଇ ଓଡ଼ିଶାର ଚମ୍ପାପୁର, ଆନ୍ଧ୍ରର ସିଙ୍ଗିପୁର ଗାଁ ମଧ୍ୟରେ ବିବାଦ

ପାରଳାଖେମୁଣ୍ଡି,୨୩ା୯(ସ୍ବ.ପ୍ର.) : ଜମି ଓ ଗଛକଟାକୁ କେନ୍ଦ୍ରକରି ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଦୁଇ ଗ୍ରାମ ମଧ୍ୟରେ ପୁଣି ବିବାଦ ଦେଖାଦେଇଛି। ଓଡ଼ିଶା ଜାଗାରେ ପଶି ଆନ୍ଧ୍ରର ଲୋକେ ଦାଦାଗିରି ଦେଖାଇଛନ୍ତି। ଗଜପତି ଜିଲାର ଚମ୍ପାପୁର ଏବଂ ଆନ୍ଧ୍ରର ସିଙ୍ଗିପୁର ମଧ୍ୟରେ ବିବାଦ ତୁଟିବା ବଦଳରେ ଦୁଇ ଗ୍ରାମବାସୀ ମୁହାଁମୁହିଁ ହେବା ସହ ପୂର୍ବରୁ ଏ ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି।
ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଗଙ୍ଗାବାଡ଼ ପଞ୍ଚାୟତର ଚମ୍ପାପୁର ଏକ ଆଦିବାସୀ ବହୁଳ ଗ୍ରାମ ଅଟେ। ଏହି ଗ୍ରାମ ଆନ୍ଧ୍ରର ଶ୍ରୀକାକୁଲମ୍‌ ଜିଲା ମଞ୍ଜୁସା ମଣ୍ଡଳମ୍‌ର ସିଙ୍ଗିପୁର ଗ୍ରାମ ନିକଟରେ ରହିଛି।ଓଡ଼ିଶାର ଚମ୍ପାପୁର ଗ୍ରାମବାସୀ ପୂର୍ବ ପୁରୁଷ ଅମଳରୁ ସମ୍ପୃକ୍ତ ପାହାଡ଼ ଓ ଏହାର ପାଦଦେଶରେ କଦଳୀ, କାଜୁ, ଆମ୍ବ, ହଳଦୀ ଆଦିି ଚାଷ କରିଆସୁଥିଲେ। ଗତ ୧୩ ତାରିଖ ପଡ଼ୋଶୀ ଆନ୍ଧ୍ର ରାଜ୍ୟର କେତେକ ଅଣ ଆଦିବାସୀ ଲୋକ ଚମ୍ପାପୁର ଗ୍ରାମର ଜମିରେ ଲାଗିଥିବା ଗଛଗୁଡ଼ିକ ଜବରଦସ୍ତ କାଟି ଏହା ଆନ୍ଧ୍ରର ଜାଗା ବୋଲି କହିଥିଲେ। ଚମ୍ପାପୁର ଲୋକେ ଏହାର ବିରୋଧ କରିବା ବେଳେ ଗାଁର ମହିଳାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ତେବେ ରବିବାର ଗଜପତି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗାରବନ୍ଧ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ରାୟଗଡ଼ ବିଡିଓ ଲୁକାଶ ପ୍ରଧାନ, ରାୟଗଡ଼ ବ୍ଲକ୍‌ ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ, ପିଇଓ ଭାସ୍କର ଚନ୍ଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚି ଲାଲ ପତାକା ଲଗାଇଥିଲେ। ଏ ସମ୍ପର୍କରେ ଉଭୟ ଗ୍ରାମର ଗ୍ରାମବାସୀଙ୍କ ଉପସ୍ଥିତିରେ ସୀମା ନିର୍ଦ୍ଧାରଣ କରାଯିବା ଆବଶ୍ୟକ ବୋଲି ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜୀ କହିଥିଲେ। ପୂର୍ବରୁ ମଧ୍ୟ ଅନେକ ଥର ଏହି ଦୁଇଟି ଗ୍ରାମରେ ଜାଗା ଓ ଗଛକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ହେଲେ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନର ଆନ୍ତରିକତା ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।