ଓଡ଼ିଶା ପାଇଁ ଆଶ୍ୱସ୍ତି: ୩ଦିନ ଧରି ପରୀକ୍ଷା ହୋଇଥିବା ସବୁ ନମୁନା ନେଗେଟିଭ୍‌

ଭୁବନେଶ୍ୱର, ୧୮।୪(ବ୍ୟୁରୋ): କରୋନା ନେଇ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର। ସାରା ବିଶ୍ୱରେ ତଥା ଦେଶରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ଏଥିରୁ ଆଶ୍ୱସ୍ତି ମିଳିଛି। ଗତ ୩ଦିନରେ ରାଜ୍ୟରେ ଜଣେ ବି କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହି ତିନି ଦିନରେ ପରୀକ୍ଷା ହୋଇଥିବା ସମସ୍ତ ନମୂନା ନେଗେଟିଭ୍‌ ଆସିଛି। ବୁଧବାର ରାଜ୍ୟରେ ମୋଟ ୧୧୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା। ସେହିପରି ଗୁରୁବାର ୮୪୩ ଓ ଶୁକ୍ରବାର ୧,୦୪୨ ଜଣଙ୍କ ନମୂନା ପରୀକ୍ଷା ହୋଇଥିଲା। ଏହି ସମସ୍ତ ପରୀକ୍ଷା ରିପୋର୍ଟ ନେଗେଟେିଭ୍‌ ଆସିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୮,୬୧୯ନମୂନା ଟେଷ୍ଟ ହୋଇଛି। ସେଥିମଧ୍ୟରୁ ୮,୫୫୯ ନେଗେଟିଭ ଆସିଛି। ୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୩୮ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share