ଓଡ଼ିଶା ପୋଲିସ ଓ ହାଜତ ମୃତ୍ୟୁ

ସବ୍ୟସାଚୀ ଅମିତାଭ

ବର୍ତ୍ତମାନ ସମୟରେ ଓଡ଼ିଶା ପୋଲିସ୍‌ର ଛବି ସଙ୍କଟରେ। ପୁରୀ ଓ ବୀରମିତ୍ରପୁରର ହାଜତ ମୃତ୍ୟୁ ଅଭିଯୋଗ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇଲାଗିଛି। ପୁରୀ ହାଜତ ମୃତ୍ୟୁ ଘଟଣାରେ ଚାପରେ ଥିବା ସରକାର ତୁରନ୍ତ ପୁରୀ ଏସ୍‌ପିଙ୍କୁ ବଦଳି କରିଥିଲେ ବି ବିରୋଧୀଙ୍କ ହାତରେ ଏକ ବଡ଼ ଇସ୍ୟୁ ଧରାଇଦେଇଛନ୍ତି। ରାଜ୍ୟର ଅନେକ ସ୍ଥାନରେ ଅନେକ ସମୟରେ ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନଜରକୁ ଆସେ। ସାଧାରଣ ଜନତାଙ୍କ ଆଖିରେ ପୋଲିସ୍‌ର ଛବି ପରିବର୍ତ୍ତନ ପାଇଁ ପୋଲିସ୍‌ ମୁଣ୍ଡିଆଳ ଓ ସରକାର ଏକାଧିକ କଥା କହୁଥିଲେ ବି ବାସ୍ତବକ୍ଷେତ୍ରରେ ପୋଲିସ୍‌ ଲୋକଙ୍କ ପାଖରେ ଆସ୍ଥାଭାଜନ ହେବାରେ ସଫଳତା ପାଇପାରିନି। ଆଜି ବି ସାଧାରଣ ଲୋକଟେ ନିଜର ଅଭିଯୋଗ ନେଇ ଥାନାକୁ ଯିବାକୁ ଭୟ କରେ। ଏହାର ଏକମାତ୍ର କାରଣ ହେଉଛି- ପୋଲିସିଆ ଆଦବକାଇଦା, ଥାନାରେ ଖରାପ ବ୍ୟବହାର। ଯଦି ଡିକ୍ସିନାରୀରେ ପୋଲିସ୍‌ ଅର୍ଥ ଖୋଜିବା ତେବେ ପାଇବା: The civil force of a state, responsible for the prevention and detection of crime and the maintenance of public order. ପବ୍ଲିକ୍‌ ଅର୍ଡର ଅର୍ଥ ହେଲା, ସାଧାରଣ ଲୋକଙ୍କ ଧନ, ଜୀବନ ତଥା ସୁରକ୍ଷାର ଦାୟିତ୍ୱ ପୋଲିସ୍‌ ଉପରେ ନ୍ୟସ୍ତ। ହେଲେ ଏହା କେତେଦୂର ସତ ତାହା ଉପରେ ବର୍ତ୍ତମାନ ଏକ ବିରାଟ ପ୍ରଶ୍ନବାଚୀ ଲାଗିସାରିଛି।
ଓଡ଼ିଶାରେ ହାଜତ ମୃତ୍ୟୁ କିଛି ନୂଆ କଥା ନୁହେଁ। ଅତୀତ ଦିନଗୁଡ଼ିକରେ ବି ହାଜତ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ପୋଲିସ୍‌ ବିବାଦୀୟ ରହିସାରିଛି। ୨୦୧୭ ରେ ସମ୍ବଲପୁର ଜିଲା ଅଇଁଠାପାଲି ଓ ଯାଜପୁର ଜିଲା ଧର୍ମଶାଳା ହାଜତ ମୃତ୍ୟୁ । ୨୦୧୫ରେ ସବୁଠୁ ଅଧିକ ଚର୍ଚ୍ଚା ଓ ବିବାଦ ଘେରରେ ଥିଲା ବରଗଡ଼ର ମାଖୁନ ବାଗ ହତ୍ୟାକାଣ୍ଡ ଓ ୨୦୧୩ରେ ଅନୁଗୋଳ ଜିଲା ଜରପଡ଼ା ଥାନା ହାଜତ ମୃତ୍ୟୁ। ରାଜଧାନୀ ଭୁବନେଶ୍ୱର ମଧ୍ୟ ହାଜତ ମୃତ୍ୟୁରୁ ବାଦ୍‌ ପଡ଼ିନି। ଏଇ ନିକଟରେ ହାଜତ ନିର୍ଯାତନା ମାମଲାରେ ଓଡ଼ିଶା ମାନବାଧିକାର କମିଶନଙ୍କ ଏକ ନିର୍ଦ୍ଦେଶ ଉଲ୍ଲେଖ କରିବା ଉଚିତ ହେବ। ଘଟଣାଟି ଥିଲା- କେନ୍ଦୁଝର ଜିଲାର। ଏକ ଜମିବାଡି ବିବାଦକୁ ନେଇ ଥାନା ମଧ୍ୟରେ ଜଣେ ଅଭିଯୁକ୍ତଙ୍କୁ ଲାଠିରେ ମାଡ ସହ ଗୋଇଠା ମାରିବା ଘଟଣାରେ ପାଟଣା ଥାନାର ପୂର୍ବତନ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ଦୁଇ ବର୍ଷ ଯାଏ କୌଣସି ଥାନାରେ ଅବସ୍ଥାପିତ ନ କରିବାକୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ହାଜତରେ ଅଭିଯୁକ୍ତଙ୍କ ପ୍ରତି ପୋଲିସ୍‌ର ବ୍ୟବହାର କିପରି ରହିବ ସେଥିପାଇଁ ସ୍ପଷ୍ଟ ଗାଇଡ୍‌ଲାଇନ ରହିଛି। ହେଲେ ଏହି ଗାଇଡ୍‌ଲାଇନ ଅଧିକାଂଶ ଥାନାରେ ପାଳନ କରାଯାଏନି।
ଦେଶ ସ୍ବାଧୀନ ହେବାର ୩୦ ବର୍ଷ ପରେ ୧୯୭୭ରେ ପୋଲିସ୍‌ ସଂସ୍କାର ନିମିତ୍ତ ଏକ ଜାତୀୟ ପୋଲିସ୍‌ କମିଶନ ଗଠନ କରାଯାଇଥିଲା। ଧରମବୀରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଜାତୀୟ ପୋଲିସ୍‌ କମିଶନ ସରକାରଙ୍କୁ ୧୯୭୯ରୁ ୧୯୮୧ଭିତରେ ୮ଟି ଭାଗରେ ରିପୋର୍ଟ ପ୍ରଦାନ କରିଥିଲେ । ସବିଶେଷ ଅନୁଧ୍ୟାନ ସହ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବାରୁ ଏହାର ବିଶେଷ ମହତ୍ତ୍ୱ ଅଛି। ଜାତୀୟ ପୋଲିସ୍‌ କମିଶନର ପ୍ରଥମ ରିପୋର୍ଟରେ ପୋଲିସ୍‌ ବିରୋଧରେ ହେଉଥିବା ଅଭିଯୋଗଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା। ହାଜତରେ ନିର୍ଯାତନା, ଦୁଷ୍କର୍ମ, ପୋଲିସ୍‌ ଗୁଳିରେ ଦୁଇ ବା ତଦୂର୍ଦ୍ଧ୍ୱ ବ୍ୟକ୍ତି ନିହତ ହେବା ଇତ୍ୟାଦି ଘଟଣାରେ ବିଚାର ବିଭାଗୀୟ ତଦନ୍ତ ବାଧ୍ୟତାମୂଳକ ଭାବେ କରାଯିବା ଲାଗି ଏଥିରେ ସୁପାରିସ କରାଯାଇଥିଲା। ପୋଲିସ୍‌ର କାର୍ଯ୍ୟ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଫୌଜଦାରି ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଦୃଢୀକରଣ ପାଇଁ କମିଶନ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ସ୍ତରରେ କେନ୍ଦ୍ରୀୟ ଆଇନ କମିଶନ ଭଳି ଫୌଜଦାରି ନ୍ୟାୟ ପ୍ରଦାନ କମିଶନ ରୂପକ ବୈଧାନିକ କମିଶନ ଗଠନ ନିମନ୍ତେ ଏହି ରିପୋର୍ଟ ଯୁକ୍ତି ବାଢ଼ିଥିଲେ।
ଦୁର୍ବଳ ଶ୍ରେଣୀର ଜନଗଣଙ୍କୁ ଶୋଷଣ ଓ ଅନ୍ୟାୟରୁ ସୁରକ୍ଷା ପ୍ରଦାନ ସମେତ ପୋଲିସ୍‌ ଅଧିକାରୀମାନଙ୍କର ପୋଷ୍ଟିଂ, ଅଯଥା ଉଦ୍ଦେଶ୍ୟମୂଳକ ଗିରଫଦାରି ବ୍ୟବସ୍ଥାର ବିଲୋପ, ହ୍ୟାଣ୍ଡକଫ୍‌ ବ୍ୟବହାର ପାଇଁ ଗାଇଡ୍‌ଲାଇନ, ପୋଲିସ୍‌ ଥାନାର ଯଥେଷ୍ଟ ପରିମାଣର ଇଂପ୍ରେଷ୍ଟ ଅର୍ଥ ବ୍ୟବସ୍ଥା ଆଦି ସମ୍ପର୍କରେ ଧରମବୀର ପୋଲିସ୍‌ କମିଶନର ତୃତୀୟ ରିପୋର୍ଟରେ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ଫୌଜଦାରି କାର୍ଯ୍ୟବିଧି ଆଇନ ଅନୁସାରେ ପୋଲିସ୍‌ର ଧର୍ତ୍ତବ୍ୟ ଜାମିନ ବିହୀନ ଦଫାରେ ଗିରଫ କ୍ଷମତା ବାଧ୍ୟତାମୂଳକ ନୁହେଁ ବୋଲି ଆବଶ୍ୟକୀୟ ସଂଶୋଧନ ଜରୁରୀ ଥିବା ବିଷୟ ଏହି ରିପୋର୍ଟରେ କୁହାଯାଇଛି। ମଣିଷ ଭଳି ବଞ୍ଚିରହିବା ପାଇଁ ଆବଶ୍ୟକ ପଡ଼ୁଥିବା ବିଶେଷ ଉପାଦାନ ମଧ୍ୟରେ ବ୍ୟକ୍ତି ସ୍ବାଧୀନତା, ମର୍ଯ୍ୟାଦା ଆଦି ଅଧିକାର ଉପରେ ପୋଲିସ୍‌ ହସ୍ତକ୍ଷେପର ଆଇନଗତ କର୍ତ୍ତୃତ୍ୱ ରହିଛି। ସରଳଭାବେ କହିଲେ, ପୋଲିସ୍‌ର ଗିରଫ କ୍ଷମତା ଅପବ୍ୟବହାର ହେଲେ ମଣିଷର ମର୍ଯ୍ୟାଦା, ବ୍ୟକ୍ତି ସ୍ବାଧୀନତା କ୍ଷୁଣ୍ଣ ହୁଏ। ଥାର୍ଡ ଡିଗ୍ରୀ ପ୍ରୟୋଗ ହେଲେ ତ ଆହୁରି ସାଂଘାତିକ। ଏଣୁ ପୋଲିସ୍‌ କମିଶନ ପକ୍ଷରୁ ଏ ସମ୍ପର୍କରେ କୁହାଯାଇଛି ଯେ, ପୋଲିସ୍‌ର ଗିରଫ କ୍ଷମତା ହେଉଛି ଏହି ବ୍ୟବସ୍ଥାର ଦୁର୍ନୀତି ସୃଷ୍ଟି ପାଇଁ ଏକ ମୁଖ୍ୟ ଉତ୍ସ। ଅଯଥା ଓ ବେଆଇନ ଗିରଫଦାରି ନିମନ୍ତେ ଜେଲ ବିଭାଗର ମଧ୍ୟ ଖର୍ଚ୍ଚ ବଢ଼େ ବୋଲି କମିଶନ ପକ୍ଷରୁ କୁହାଯାଇଛି। ଏଣୁ ଗିରଫ କ୍ଷମତା ଉପରେ କଟକଣା ପାଇଁ ସେଥିରେ ଯେଉଁ ପରାମର୍ଶ ଦିଆଯାଇଥିଲା ୯୦ ଦଶକର ମଧ୍ୟଭାଗରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସେଥିନେଇ ଗାଇଡ୍‌ଲାଇନ ପ୍ରଣୟନ କରାଯାଇଥିଲା। ଡି.କେ. ବସୁ ମାମଲା ଭାବେ ପରିଚିତ ମାମଲାରେ ହାଜତ ନିର୍ଯାତନାର ପ୍ରତିକାର ପାଇଁ ଗିରଫ ମେମୋ, ଗିରଫର କାରଣ ଇତ୍ୟାଦି ସମ୍ପର୍କରେ ଅଭିଯୁକ୍ତଙ୍କର ୧୧ଟି ଅଧିକାରକୁ ସ୍ବୀକୃତି ଦିଆଯାଇଛି। ଫୌଜଦାରି କାର୍ଯ୍ୟବିଧି ଆଇନର ଧାରା-୪୧ରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଇ ୭ ବର୍ଷ ଭିତରେ ଥିବା ଦଣ୍ଡବ୍ୟବସ୍ଥା ମାମଲାରେ ପୋଲିସ୍‌ର ଗିରଫ କ୍ଷମତା ଉପରେ ଉତ୍ତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ବ୍ୟବସ୍ଥା କରାଯାଇଛି। ତଥାପି ଆଜି ମଧ୍ୟ ଅଯଥା ଗିରଫ ଓ ହାଜତ ନିର୍ଯାତନାର ଅଭିଯୋଗ ହ୍ରାସ ପାଇନାହିଁ। ଏହା ହିଁ ବଡ଼ ବିଡ଼ମ୍ବନା!
ଥାନାରେ ପୋଲିସ୍‌ କର୍ମଚାରୀଙ୍କ ଆଚରଣ ଓ ଉଚ୍ଚାରଣ ସବୁବେଳେ ଗୋଟେ ଚର୍ଚ୍ଚିତ ପ୍ରସଙ୍ଗ। ଥାନାରେ ପୋଲିସ୍‌ କର୍ମଚାରୀ କିପରି ବ୍ୟବହାର କରନ୍ତି ଭୁକ୍ତଭୋଗୀ ହିଁ ସେକଥା ଜାଣେ। ଗୋଟିଏ ତଥ୍ୟରୁ ଜଣାପଡିଛି, ପାଖାପାଖି ୭୫ ପ୍ରତିଶତ ଲୋକ ଘଟୁଥିବା ଅପରାଧ ବାବଦରେ ପୋଲିସ୍‌ କମ୍ପ୍ଲ୍ଲେନ୍‌ କରିବାକୁ ଯାଆନ୍ତି ନାହିଁ। କାରଣ ହେଉଛି, ଥାନାରେ ପୋଲିସିଆ ବ୍ୟବହାର। ଥାନାକୁ ଗଲେ ସାଧାରଣ ଲୋକଟିଏ ପୋଲିସ୍‌ଠାରୁ କି ପ୍ରକାର ବ୍ୟବହାର ପାଏ, ତାହା ସମସ୍ତେ ଭଲ ଭାବେ ଜାଣନ୍ତି। କିଛି ଦିନ ତଳେ ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସ ପକ୍ଷରୁ ବ୍ୟୁରୋ ଅଫ୍‌ ପୋଲିସ୍‌ ରିସର୍ଚ୍ଚ ଆଣ୍ଡ୍‌ ଡେଭଲପମେଣ୍ଟ୍‌ ପାଇଁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଅନୁସାରେ, ସାରା ଦେଶରେ ବାର୍ଷିକ ୧.୦୮ କୋଟି କମ୍ପ୍ଲେନ୍‌ ଆସୁଥିଲେ ବି ତା’ ଭିତରୁ ମାତ୍ର ୬୦. ୪୧ ଲକ୍ଷ କମ୍ପ୍ଲେନ୍‌ରେ କେସ୍‌ ରେଜିଷ୍ଟ୍ରୀ ହୋଇଥାଏ। ସେହିପରି ୫୬. ୬ ପ୍ରତିଶତ ଅଭିଯୋଗକାରୀ ବା ପୀଡିତ ବ୍ୟକ୍ତିବିଶେଷ ଥାନାକୁ ଏକାକୀ ଯିବାକୁ ଭୟ କରନ୍ତି। ଏଥିପାଇଁ ସ୍ପଷ୍ଟ କାରଣ ହେଲା- ଖାକି ପ୍ରତି ଭୟ। ୫୭ ପ୍ରତିଶତ ଲୋକଙ୍କ ମତରେ ପୋଲିସ୍‌ କମ୍ପ୍ଲେନ ଅବା ଅଭିଯୋଗ ଦାଖଲ କରିବା ସମୟରେ ନିଜ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଥାନାକୁ ନେଇ ଆସିଥାନ୍ତି ଓ ଏଥିପାଇଁ ମୋରାଲ୍‌ ସପୋର୍ଟକୁ ସେମାନେ କାରଣ ବୋଲି ଦର୍ଶାଇଛନ୍ତି। ସେହିପରି ୩୦.୫ ପ୍ରତିଶତ ଲୋକ ଅପରାଧ ବାବଦରେ ପୋଲିସ୍‌ ଅଭିଯୋଗ ବେଳେ ଅଧିକ ତଥ୍ୟ ଯୋଗାଇବା ପାଇଁ ଅନ୍ୟ ବ୍ୟକ୍ତିଙ୍କୁ ଥାନାକୁ ସାଙ୍ଗରେ ଆଣି ଆସିଥାନ୍ତି। ୨୧.୯ ପ୍ରତିଶତ ଲୋକ କେବଳ ପୋଲିସ୍‌ ପ୍ରତି ଥିବା ଡର କାରଣରୁ ଅନ୍ୟ ଲୋକଙ୍କୁ ସାଙ୍ଗରେ ଧରି ଥାନାକୁ ଆସିଥାନ୍ତି। ଏଇ ସର୍ଭେରୁ ସ୍ପଷ୍ଟ ଜଣାପଡୁଛି, ସାଧାରଣ ଲୋକ ଭିତରେ ଖାକିକୁ ନେଇ କି ପ୍ରକାର ଧାରଣା ରହିଛି।
କିଛି ଦିନ ତଳେ ପୋଲିସ୍‌ ବିଭାଗରେ ମୋ ସରକାର ଆରମ୍ଭ ହେବାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ବଡବଡିଆ ପୋଲିସ୍‌ ଅଧିକାରୀ ଥାନା ସମ୍ପର୍କରେ ସାଧାରଣ ଲୋକଙ୍କ ଫିଡ୍‌ ବ୍ୟାକ୍‌ ନେଉଥିଲେ। ସେତେବେଳେ ଲାଗିଥିଲା ବୋଧେ ପୋଲିସିଆ ରଙ୍ଗଢଙ୍ଗ ବା ଆଦବକାଇଦା ବଦଳିବାକୁ ଯାଉଛି। ପୋଲିସ୍‌ ବୋଧେ ସତରେ ଲୋକଙ୍କ ବନ୍ଧୁ ହେବାକୁ ଚେଷ୍ଟା କରୁଛି। ହେଲେ ହାଜତ ମୃତ୍ୟୁ ପରି ଘଟଣା ପୋଲିସ୍‌ ପ୍ରତି ଲୋକଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ପ୍ରଶ୍ନ ଉଠେ- ସମାଜର ରକ୍ଷାକାରୀ ଯଦି ଏମିତି ତେବେ ତା’ଠାରୁ କି ପ୍ରକାର ସୁରକ୍ଷା ଆମେ ପାଇପାରିବା। ଯେଉଁ ସମୟରେ ସରକାର ପୋଲିସ୍‌୍‌ ଓ ପବ୍ଲିକ୍‌ ଭିତରେ ସମନ୍ବୟର କଥା କହୁଛନ୍ତି, ମୋ ସରକାର ପରି କନସେପ୍ଟ ପ୍ରଚଳନ କରାଯାଉଛି ସେ ସମୟରେ ଖାକି ପ୍ରତି ଲୋକଙ୍କ ବିଶ୍ୱାସ ଓ ଆସ୍ଥା ନ ରହିବା ଚିନ୍ତାଜନକ ବିଷୟ। ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଉ ଅବା ଆଉ କେବେ ଧୃତରାଷ୍ଟ୍ରଙ୍କ ଭୂମିକାର ପରିଣାମ କେତେ ଭୟଙ୍କର ହୋଇପାରେ ଆମେ ସମ୍ବଲପୁର, କେନ୍ଦ୍ରାପଡା, ନିଆଳି ଆଦି ଅଞ୍ଚଳରେ ଦେଖିସାରିଛୁ। ଲୋକେ ମାତିଲେ କାହାର ନୁହେଁ। ଥାନା ପୋଡିବାଠାରୁ ସାଧାରଣ ସମ୍ପତ୍ତି ନଷ୍ଟ ଯାଏ କେତେ ଘଟଣା ଘଟିଛି। ହେଲେ ଦୁଃଖର କଥା ଆମ ପୋଲିସ୍‌ କିନ୍ତୁ ଅତୀତରୁ କିଛି ଶିଖିନି। ଏପ୍ରିଲ ପହିଲା ୨୦୧୩ରେ ଆମ ରାଜ୍ୟରେ ପ୍ରଥମ କରି କମ୍ୟୁନିଟି ପୋଲିସିଂ ‘ଆମ ପୋଲିସ୍‌’ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଲକ୍ଷ୍ୟ ଥିଲା- ୧. ସାଧାରଣ ଲୋକ ଓ ପୋଲିସ୍‌ ଭିତରେ ଥିବା ଦୂରତାକୁ କମ୍‌ କରିବା, ୨. ସମାଜରେ ପୋଲିସ୍‌ ପ୍ରତି ଆସ୍ଥା ଯେପରି ସୃଷ୍ଟି ହୋଇପାରିବ, ୩. ସମାଜର ଏକ ପ୍ରମୁଖ ଅଙ୍ଗ ଭାବେ ପୋଲିସ୍‌ ବ୍ୟବସ୍ଥାକୁ ଗଢିତୋଳିବା, ୪. ସାଧାରଣ ଲୋକ ଓ ପୋଲିସ୍‌ ଭିତରେ ପାରସ୍ପରିକ ସହଯୋଗ ଓ ବୁଝାମଣା, ୫. ଅପରାଧ ନିୟନ୍ତ୍ରଣ। ଏଇ କନସେପ୍ଟ ଦ୍ୱାରା ଲୋକେ କେତେ ପୋଲିସ୍‌ର ନିକଟବର୍ତ୍ତୀ ହୋଇଛନ୍ତି ବା ସେମାନଙ୍କର ପୋଲିସ୍‌ ପ୍ରତି ଆସ୍ଥା ବଢିଛି ତାହା ସନ୍ଦେହରେ। କାରଣ ପୋଲିସ୍‌ ପ୍ରତି ସାଧାରଣରେ ଧାରଣା ଏ ଯାଏ ବଦଳିନି।
ସବ୍ୟସାଚୀ ଅମିତାଭ, ଭୁବନେଶ୍ୱର,
ମୋ- ୯୪୩୮୨୯୬୫୧୯