Advertisement

ଓଡ଼ିଶା ପ୍ରଗତିର ସଫଳ ପ୍ରୟୋଗଶାଳା: ରାଜ୍ୟପାଳ

ଭୁବନେଶ୍ୱର, ୮ା୨(ବ୍ୟୁରୋ): ଓଡ଼ିଶା ହେଉଛି ଏକ ଦିବ୍ୟଭୂମି। ଏଠାରେ ପ୍ରତ୍ୟେକ ଲୋକ ଦିବ୍ୟତାର ପ୍ରତୀକ। ସାଧାରଣ ଲୋକମାନଙ୍କ ଜୀବନଶୈଳୀରେ ଅଧ୍ୟାତ୍ମ ଭାବ ପ୍ରତିଫଳିତ ହୋଇଥାଏ। ସାମାଜିକ ଓ ସାଂସ୍କୃତିକ ସଂହତିର ଆଦର୍ଶ ଭୂମି ଭାବେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ପ୍ରକାଶ କରିଛନ୍ତି। ଶୁକ୍ରବାର ରାଜଭବନରେ ସାମାଜିକ ଓ ରାଜନୈତିକ ଅଧ୍ୟୟନ ଉଦ୍ଦେଶ୍ୟରେ ଆସିଥିବା ଏକ ସାମରିକ ପ୍ରତିନିଧି ଦଳକୁ ସ୍ବାଗତ କରି ରାଜ୍ୟପାଳ କହିଥିଲେ ଯେ, ସମସ୍ତଙ୍କୁ ପ୍ରେମ କରିବା ଓ ସମସ୍ତଙ୍କୁ ସ୍ବୀକାର କରିବା ହେଉଛି ଭାରତର ପରମ୍ପରା। ଏହା ହିଁ ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ। ବିବିଧତା ମଧ୍ୟରେ ଏକତାର ବାର୍ତ୍ତା ପ୍ରସାର କରିଆସିଛି ଭାରତ। ଓଡ଼ିଶାରେ ସବୁ କ୍ଷେତ୍ରରେ ପ୍ରଗତି ତ୍ୱରାନ୍ବିତ ହୋଇଛି ଏବଂ ଭାରତ ପ୍ରଗତିର ଏହା ଉଦାହରଣଯୋଗ୍ୟ ପ୍ରୟୋଗଶାଳା ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି। ପ୍ରତିନିଧି ଦଳର ମୁଖ୍ୟ ଏୟାର ଭାଇସ୍‌ ମାର୍ଶାଲ ବି.ଭି. ଉପାଧ୍ୟାୟ ଓଡ଼ିଶାର ବିଭିନ୍ନ ସ୍ଥାନ ପରିଦର୍ଶନ ପରେ ନିଜର ଅନୁଭୂତି ବର୍ଣ୍ଣନା କରି କହିଥିଲେ, ଓଡ଼ିଶାରେ ଲୋକମାନଙ୍କ ଆତ୍ମସନ୍ତୁଷ୍ଟି ବେଶ୍‌ ଉଲ୍ଲେଖନୀୟ। ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ସେ ପ୍ରକାଶ କରିଥିଲେ। ଏହି ପ୍ରତିନିଧି ଦଳରେ ଫ୍ରାନ୍ସ, ଇଣ୍ଡୋନେସିଆ, ନେପାଳ, ଉଗାଣ୍ଡାର ସାମରିକ ଅଧିକାରୀଙ୍କ ସମେତ ଭାରତର ସାମରିକ ଓ ବେସାମରିକ ଅଧିକାରୀମାନେ ଥିଲେ। ସେମାନେ ନିଜ ଅଧ୍ୟୟନର ଅନୁଭବ, ଅନୁଭୂତି ଓ ଉପଲବ୍ଧି ରାଜ୍ୟପାଳଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ। ଏହି ସୌଜନ୍ୟ ସାକ୍ଷାତ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share