ଓଡ଼ିଶା ପ୍ରଜ୍ଞାପନ ମେଢ଼ ପୁରସ୍କୃତ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮ା୧(ବ୍ୟୁରୋ)- ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଜାତୀୟ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଓଡ଼ିଶାକୁ ସଫଳତା ମିଳିଛି। ପରେଡ଼ରେ ସାରା ଦେଶରୁ ସାମିଲ୍‌ ହୋଇଥିବା ୨୨ ପ୍ରଜ୍ଞାପନ ମେଢ଼ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ହୋଇଛି। ମଙ୍ଗଳବାର ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂ ଓ ମେଢ଼ ଡିଜାଇନ କରିଥିବା ଶିଳ୍ପୀ ଗଜେନ୍ଦ୍ର ସାହୁ ପୁରସ୍କାର ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଦୁଇବର୍ଷ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ସାମିଲ ହୋଇ ନ ଥିଲା। ଶେଷଥର ପାଇଁ ୨୦୧୭ରେ ସାମିଲ୍‌ ହୋଇଥିବା ଓଡ଼ିଶା ପ୍ରଜ୍ଞାପନ ମେଢ଼ ଦୋଳ ପୂର୍ଣ୍ଣିମା ପରମ୍ପରା ଉପରେ ପର୍ଯ୍ୟବସିତ ଥିଲା। ତେବେ ଚଳିତବର୍ଷ ଓଡ଼ିଶା ‘ରୁକୁଣା ରଥ’ ପ୍ରଜ୍ଞାପନ ମେଢ଼ ସହ ପରେଡ଼ରେ ସାମିଲ୍‌ ହୋଇଥିଲା। ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ସହ ଯୋଡ଼ି ହୋଇ ରହିଥିବା କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଜ୍ଞାପନ ମେଢ଼ରେ ନିଖୁଣ ଭାବେ ପ୍ରଦର୍ଶନ କରାଯାଇଥିଲା। ମେଢ଼ ଉପରେ ଓ ଚାରିପାଖରେ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିକୁ ଦିଲ୍ଲୀ ଦରବାରରେ ଆହୁରି ଜୀବନ୍ତ କରିଦେଇଥିଲା। ଓଡ଼ିଶା ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ ପୁରସ୍କାର ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର କଳା ଓ ସଂସ୍କୃତିକୁ ସେଠାରେ ପ୍ରଦର୍ଶିତ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହା ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପରିଚୟ ଓ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

Share