Categories: ଖେଳ

ଓଡ଼ିଶା ପ୍ରିମିୟର ଲିଗ୍‌ ଉଦ୍‌ଯାପିତ; ଜଗତ୍‌ସିଂହପୁର କଳିଙ୍ଗସ୍‌ ଚାମ୍ପିୟନ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବେଙ୍ଗାଲୁରୁଠାରେ ଓଡ଼ିଶା ପ୍ରିମିୟର ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ଭୁବନେଶ୍ୱର ବାଉନ୍ସର୍ସକୁ ୩ ଉଇକେଟରେ ହରାଇ ଜଗତ୍‌ସିଂହପୁର କଳିଙ୍ଗସ୍‌ ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ କରି ବାଉନ୍ସର୍ସ ୧୮ ଓଭରରେ ୮ ଉଇକେଟ ହରାଇ ୧୪୬ ରନ କରିଥିଲା। ଜବାବରେ କଳିଙ୍ଗସ୍‌ ୧୭ ଓଭରରେ ୭ ଉଇକେଟ ହରାଇ ୧୫୦ ରନ ସଂଗ୍ରହ କରି ନେଇଥିଲା। ଜଷ୍ଟିସ ଜେ.ପି. ଉଦ୍‌ଗାତା, ହେମନ୍ତ ପାତ୍ର, ମନୋଜ ବାଲା ପ୍ରମୁଖ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ୩୯ ବଲ୍‌ରୁ ୬୨ ରନ କରିଥିବା ହିରେନ ଟୁକାଡିୟା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପ୍ରଥମ ସେମିଫାଇନାଲରେ କଳିଙ୍ଗସ୍‌ ୯ ଉଇକେଟରେ ଭଦ୍ରକ ବ୍ଲାକ୍‌ କ୍ୟାପ୍ସ ଏବଂ ଦ୍ୱିତୀୟ ସେମିରେ ବାଉନ୍ସର୍ସ ୮ ରନରେ ବାଲେଶ୍ୱର ମିସାଇଲ୍ସକୁ ପରାସ୍ତ କରିଥିଲା। ୨ଟି ମ୍ୟାଚରେ ଯଥାକ୍ରମେ କୁଲଦୀପ କୁମାର ଓ ରୀତେଶ ନେଗି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

Share