ଓଡ଼ିଶା ଫେରିବ ଡାକୋଟା ବିମାନ

ପୁରୀ ଅଫିସ,୧୭।୧୨: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସହ ଜଡ଼ିତ ଡାକୋଟା ବିମାନ ଓଡ଼ିଶା ଫେରିବା ସମ୍ଭାବନା ସୃଷ୍ଟି ହୋଇଛି। ଏହି ବିମାନକୁ ଓଡ଼ିଶାକୁ ଫେରାଇବା ଲାଗି ଶ୍ରୀଜଗନ୍ନାଥ ସେନା ଗତ ଅକ୍ଟୋବର ୧୦ରେ ନୂଆଦିଲ୍ଲୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରିଥିଲା। ଭାରତୀୟ ବିମାନବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେଇଛନ୍ତି। ଶ୍ରୀଜଗନ୍ନାଥ ସେନା ପାଖକୁ ଆସିଥିବା ଏ ସଂକ୍ରାନ୍ତ ଚିଠିରେ ଦର୍ଶାଯାଇଛି, ବିଜୁବାବୁଙ୍କ ବୀରତ୍ୱର ଗାଥା ବହନ କରୁଥିବା ଏହି ବିମାନକୁ ନେବା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କୌଣସି ସମ୍ମାନଜନକ ସ୍ଥାନରେ ସ୍ଥାପନ କରାଇପାରିଲେ ଏହା ହିଁ ତାଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ। ସେହିପରି ୨୦୧୭ ଡିସେମ୍ବରରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଥିଲା। ଏହି ବିମାନକୁ ନେଇ ବିଜୁ ପଟ୍ଟନାୟକ ବିମାନବନ୍ଦର କିମ୍ବା ସଂଗ୍ରହାଳୟରେ ପ୍ରଦର୍ଶନ କରିବାକୁ କୁହାଯାଇଥିଲା। କିନ୍ତୁ ଏ ଦିଗରେ ରାଜ୍ୟ ସରକାର କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି।
ସୋମବାର ଅର୍ବାନ ହାଟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହି ବିମାନ ଓଡ଼ିଶାକୁ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ସେ କହିଛନ୍ତି, କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଜୁବାବୁଙ୍କ ପ୍ରିୟ ଡାକୋଟା ଡିସି-୩ ବିମାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏହି ବିମାନ ପାଇଁ ଓଡ଼ିଆ ପୁଅ ତଥା ଦୁର୍ଦ୍ଦର୍ଷ ପାଇଲଟ ବିଜୁବାବୁ ଦିନେ ବିଶ୍ୱବାସୀଙ୍କୁ ଚମକାଇ ନିଜ ଦୁଃସାହସିକତାର ପ୍ରମାଣ ଦେଇଥିଲେ। ସେ ଡାକୋଟା ବିମାନରେ ୧୯୪୭ ଜୁଲାଇ ୨୨ରେ ଇଣ୍ଡୋନେସିଆର ତତ୍କାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିରଙ୍କୁ ଜାଭା ଦ୍ୱୀପରୁ ଡଚ୍‌ ସେନା କବଳରୁ ମୁକ୍ତ କରି ନେଇଆସିଥିଲେ। ତେବେ ବିଜୁବାବୁଙ୍କ ସ୍ମୃତି ସହ ଜଡ଼ିତ ଏହି ବିମାନକୁ ସ୍କ୍ରାପ୍‌ ଦରରେ ବିକ୍ରି ପାଇଁ ମସୁଧା ହେଉଥିବା ଜଣାପଡ଼ିିବା ପରେ ଶ୍ରୀଜଗନ୍ନାଥ ସେନା ଏହାକୁ ଓଡ଼ିଶା ଫେରାଇ ଆଣିବାକୁ ଅଣ୍ଟାଭିଡ଼ିଛି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା। ରାଜ୍ୟ ସରକାର ୧୫ଦିନ ମଧ୍ୟରେ ଏହାକୁ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ, ନଚେତ୍‌ ଟଙ୍କାଏ ଟଙ୍କାଏ ଭିକ୍ଷା ମାଗି ଶ୍ରୀ ଜଗନ୍ନାଥ ସେନା କୋଲକାତାରୁ ଏହି ବିମାନ ଆଣିବ। ସ୍ବର୍ଗଦ୍ୱାରରୁ ବିଜୁବାବୁଙ୍କ ସମାଧି ହଟିବା ପରେ ସେହି ସମାଧି, ଡାକୋଟା ବିମାନ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅର୍ବାନ ହାଟରେ ସ୍ଥାପନ କରାଯାଉ। ଏହାଦ୍ୱାରା ପର୍ଯ୍ୟଟକମାନେ ଓଡ଼ିଆ ପୁଅର ବୀରତ୍ୱ ଏବଂ ଜୀବନୀ ସମ୍ପର୍କରେ ଜାଣିପାରିବେ ବୋଲି ପଟ୍ଟନାୟକ କହିଛନ୍ତି।

Share