ଓଡ଼ିଶା ଫେରିଲେ ସ୍ବର୍ଣ୍ଣ ବିଜେତା ଅଶ୍ୱତ୍ଥ: ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଜଳ ସଂରକ୍ଷଣ ‘ଓ୍ବାଟର୍‌ ଟେକ୍ନୋଲୋଜି’ର ମୁଖ୍ୟ ବିଷୟ

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରୁଷିଆର କାଜାନ୍‌ ସହରରେ ଅନୁଷ୍ଠିତ ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ସି.ଭି. ରମଣ କଲେଜର ଛାତ୍ର ଅଶ୍ୱତ୍ଥ ନାରାୟଣ। ଶୁକ୍ରବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ଅଶ୍ୱତ୍ଥଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସି.ଭି. ରମଣ କଲେଜ ଅଧ୍ୟକ୍ଷଙ୍କ ସହ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନେ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଅଶ୍ୱତ୍ଥ କହିଥିଲେ, ଜଳର ସଂରକ୍ଷଣ, ଏହାର ପୁନଃ ପ୍ରୟୋଗ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାର ଓ୍ବାଟର୍‌ ଟେକ୍ନୋଲୋଜିର ମୁଖ୍ୟ ବିଷୟ। ଏଥିରେ ବିଶ୍ୱର ୧୧ଟି ଦେଶର ପ୍ରତିଯୋଗୀ ଅନ୍ତିମ ପର୍ଯ୍ୟାୟରେ ଭାଗ ନେଇଥିଲେ। ଅଶ୍ୱତ୍ଥ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣପଦକ ଜିତଥିଲେ। ଏହି ଅବସରରେ କଲେଜ ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ କହିଥିଲେ, ବର୍ତ୍ତମାନ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓ୍ବାଟର୍‌ ଟେକ୍ନୋଲୋଜି ଟ୍ରେଡ୍‌ ସବୁଠାରୁ ଅତ୍ୟାଧୁନିକ ଏବଂ ଏଥିରେ ଆଇଟି, ମେକାଟ୍ରୋନିକ୍‌, ମେକାନିକାଲ, କେମିକାଲ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂର ଆବଶ୍ୟକତା ରହିଛି। ଜଳ ସଂରକ୍ଷଣ ଏବଂ ଜଳ ଶୁଦ୍ଧତାର ବର୍ତ୍ତମାନ ସମୟରେ ଯେଉଁ ଆବଶ୍ୟକତା ରହିଛି ତାହାର ସମାଧାନ ଏହା ମାଧ୍ୟମରେ ସମ୍ଭବ ହୋଇପାରିବ। ଅଶ୍ୱତ୍ଥଙ୍କ ଏହି ସଫଳତା ଦକ୍ଷତା କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱବିଦିତ କରିଥିବା ବେଳେ ଓଡ଼ିଶାରୁ ଅଧିକ ସଂଖ୍ୟାରେ ପ୍ରତିଯୋଗୀ ଆଗାମୀ ଦିନରେ ଏହି ପ୍ରତିଯୋଗିତାରେ ଭାଗନେବାକୁ ଉତ୍ସାହିତ କରିଛି। ଅଶ୍ୱତ୍ଥଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ।

Share