Categories: ଗଞ୍ଜାମ

ଓଡ଼ିଶା ବିଧାନସଭାରେ ରେକର୍ଡ: ସୂର୍ଯ୍ୟ ଗଞ୍ଜାମ ଜିଲାରୁ ପଞ୍ଚମ ବାଚସ୍ପତି

ବ୍ରହ୍ମପୁର ଅଫିସ,୩୦ା୫-ବିଜେଡିର ବରିଷ୍ଠ ନେତା ତଥା ଅତୀତର ମୋହନା ଓ ବର୍ତ୍ତମାନର ଦିଗପହଣ୍ଡି ସେଗ୍‌ମେଣ୍ଟରୁ ଲଗାତର ଭାବେ ସାତ ଥର ବିଧାୟକ ଏବଂ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ୫ ଥର ମନ୍ତ୍ରୀ ହୋଇ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିବା ସୂର୍ଯ୍ୟ ନାରାୟଣ ପାତ୍ର ଚଳିତ ବିଧାନସଭାର ବାଚସ୍ପତି ହେବେ। ଫଳରେ ଗଞ୍ଜାମ ଜିଲାରୁ ବାଚସ୍ପତି ଭଳି ସାମ୍ବିଧାନିକ ଓ ସମ୍ମାନଜନକ ପଦ ପାଇବାରେ ସୂର୍ଯ୍ୟ ହେବେ ପଞ୍ଚମ। ତାଙ୍କୁ ଏଥର ମନ୍ତ୍ରୀ କରାଯାଇ ନ ଥିଲେ ମଧ୍ୟ ମର୍ଯ୍ୟାଦାଜନକ ବାଚସ୍ପତି ପାଇଁ ଘୋଷଣା କରାଯାଇଥିବାରୁ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି ।
ସ୍ବାଧୀନତା ପୂର୍ବରୁ ଏବଂ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ହୋଇଥିବା ଦ୍ୱିତୀୟ ବିଧାନସଭା ନିର୍ବାଚନ ୧୯୪୬ରେ ହୋଇଥିଲା। ବ୍ରହ୍ମପୁର ଆସନ ଖ୍ରୀଷ୍ଟିଆନଙ୍କ ପାଇଁ ସଂରକ୍ଷିତ ଥିବାରୁ ଲାଲ ମୋହନ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ । ସେ ୧୯୫୧-୫୨ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ସ୍ବାଧୀନତା ପରବର୍ତ୍ତୀ ୧୯୬୧ରେ ହୋଇଥିବା ତୃତୀୟ ନିର୍ବାଚନରେ ଜିଲାର କୋଦଳା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ଲିଙ୍ଗରାଜ ପାଣିଗ୍ରାହୀ। ସେ ବାଚସ୍ପତି ପଦ ପାଇଥିଲେ। ଏହା ପୂର୍ବରୁ ଜଷ୍ଟିସ ପାଣିଗ୍ରାହୀ ୧୯୫୭ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ କଂଗ୍ରେସରୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ ।
ସେହିପରି ୧୯୮୦ ନିର୍ବାଚନରେ ଭଞ୍ଜନଗର ବିଧାନସଭା ଆସନରୁ କଂଗ୍ରେସରୁ ବିଧାୟକ ହୋଇଥିଲେ ସ୍ବର୍ଗତ ସୋମନାଥ ରଥ । ସେ ଜିଲାରୁ ତୃତୀୟ ବାଚସ୍ପତି ପଦ ପାଇଥିଲେ । ୧୯୯୫ ନିର୍ବାଚନରେ ଚିକିଟି ସେଗ୍‌ମେଣ୍ଟରୁ ସ୍ବାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିିତା କରି ନିର୍ବାଚିତ ହୋଇଥିବା ଚିନ୍ତାମଣି ଦ୍ୟାନ ସାମନ୍ତରା ଗଞ୍ଜାମ ଜିଲାରୁ ଚତୁର୍ଥ ବାଚସ୍ପତି ହୋଇଥିଲେ। ୨୦୦୦ ନିର୍ବାଚନ ପର୍ଯ୍ୟନ୍ତ ସେ ଏହି ସମ୍ମାନଜନକ ପଦରେ ଥିଲେ। ଏହା ପୂର୍ବରୁ ୧୯୮୫ ନିର୍ବାଚନରେ ଦ୍ୟାନ ସାମନ୍ତରା ଚିକିଟି ଆସନରୁ କଂଗ୍ରେସରୁ ଜିତି ୧୯୯୦ ପର୍ଯ୍ୟନ୍ତ ବିଧାନସଭା ଉପବାଚସ୍ପତି ପଦ ପାଇଥିଲେ । ସ୍ବାଧୀନତା ପୂର୍ବରୁ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ୧୯୩୭ ଓ ୧୯୪୬ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବ୍ରହ୍ମପୁର ସେଗମେଣ୍ଟରୁ ଭି. ଲକ୍ଷ୍ମୀବାଇ ବିଧାୟିକା ହୋଇଥିଲେ ।
ସେ ୧୯୪୬ରୁ ୧୯୫୧-୫୨ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ଉପ-ବାଚସ୍ପତି ହୋଇଥିଲେ। ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଭିଭି ଗିରିଙ୍କ ଭଉଣୀ ଲକ୍ଷ୍ମୀବାଇ। ୧୮ ବର୍ଷ ପରେ ଗଞ୍ଜାମ ଜିଲାରୁ ପୁଣି ବିଧାନସଭା ବାଚସ୍ପତି ହେବେ ସୂର୍ଯ୍ୟ ।