‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅରୂପ ହେଲେ ଆବାହକ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରିଛନ୍ତି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସମାଜ ସେବାକାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଘୋଷଣା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଓଡ଼ିଶା ମା’ର ସେବା କରିଚାଲିଛି। ସେବା, ସଂଗ୍ରାମ ଓ ସ୍ବାଭିମାନ ହେଉଛି ବିଜେଡିର ଆଦର୍ଶ। ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆମର ଶକ୍ତି। ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିଜେଡି ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଜରିଆରେ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଉଛି। ଏହା ଦଳର ପ୍ରମୁଖ ଅଂଶ ଭାବେ ସର୍ବଦା କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମର ଆବାହକ ଭାବେ ଅରୂପ କୁମାର ପଟ୍ଟନାୟକ, ସହ ଆବହାକ ଭାବେ ପିନାକୀ ମିଶ୍ର, ଅଚ୍ୟୁତନନ୍ଦ ସାମନ୍ତ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ, ନଳିନୀକାନ୍ତ ପ୍ରଧାନ ଏବଂ ସଭ୍ୟ ଭାବେ ମନୋହର ରାନ୍ଧାରୀ, ଅନନ୍ତ ନାରାୟଣ ଜେନା, ସୁଧିର ସାମଲ, ସୁଶାନ୍ତ ରାଉତ, ସଞ୍ଜିବ ବିଶ୍ୱା, ସଂଧ୍ୟାକୁମାରୀ ନାୟକ, ଡେଜାଲିନ୍‌ ମହାପାତ୍ର ଏବଂ ଗୌରହରି ମିଶ୍ରଙ୍କୁ ନିଯୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସେହିଭଳି ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ପରିବେଶ ସୁରକ୍ଷା, ରକ୍ତଦାନ ସେବା ଓ କଲ୍ୟାଣ, ବିପନ୍ନ ଓଡ଼ିଆଙ୍କୁ ସହାୟତା ଆଦି ଦିଗରେ ଗୁରୁତ୍ୱ ଦେବ। ପରିବେଶ ସୁରକ୍ଷା ପାଇଁ ବିଜେଡି କର୍ମୀମାନେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ସହ ଲୋକଙ୍କୁ ସଚେତନ କରାଇବେ। ସେହିଭଳି ଦଳ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ସଫଳତାର ସହ ଚାଲିଛି। ଏହାକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଦେଶ ତଥା ବିଦେଶରେ କାମ କରୁଥିବା ଓଡ଼ିଶାବାସୀ ଯଦି ବିପଦରେ ପଡ଼ନ୍ତି ତେବେ ସେମାନଙ୍କର ବିପଦ ସମୟରେ ସେମାନଙ୍କ ସହ ରହି ତାଙ୍କୁ ଏବଂ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଦିଗରେ ଦଳୀୟ କର୍ମୀମାନେ କାମ କରିବେ ବୋଲି ସେ କହିଛନ୍ତି।

Share