ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ୍‌ ଲୋକାର୍ପିତ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ ମଙ୍ଗଳବାର ଅପରାହ୍ନରେ ଲୋକାର୍ପିତ ହୋଇଛି ା କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପୋର୍ଟାଲ୍‌କୁ ଲୋକାର୍ପଣ କରିଛନ୍ତି ା ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସ ଓ ସରକାରୀ ମୁଦ୍ରଣାଳୟର ନିର୍ଦ୍ଦେଶକ ମହେନ୍ଦ୍ର ପ୍ରତାପ ଇ-ବାଣିଜ୍ୟ ପୋର୍ଟାଲର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଛନ୍ତି। ଓଡ଼ିଶା ସରକାରଙ୍କର ୫-ଟି ପ୍ରୟାସ ଅନୁଯାୟୀ ସରକାରୀ ମୁଦ୍ରଣାଳୟରେ ପ୍ରଚଳିତ ବିକ୍ରିବଟାକୁ ବୈଷୟିକ ଜ୍ଞାନ ପ୍ରୟୋଗକ୍ରମେ ଆଧୁନିକ ପ୍ରଣାଳୀରେ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ା ଏଥିରେ ସରକାରୀ ଡାଇରି, କ୍ୟାଲେଣ୍ଡର ଓ ଅନ୍ୟାନ୍ୟ ସରକାରୀ ଛାପା ବହି ବିକ୍ରି କରାଯିବ ା ଏଥିନିମନ୍ତେ ସରକାରୀ ମୁଦ୍ରଣାଳୟ ଏକ ଇ-ବାଣିଜ୍ୟ ପୋର୍ଟାଲ www.ogpress.nic.in ଆରମ୍ଭ ହୋଇଯାଇଛି ା ଜନସାଧାରଣ ଅନ୍‌ଲାଇନ୍‌ ମାଧ୍ୟମରେ ଦେୟ ପୈଠ କରି ଯେକୌଣସି ସ୍ଥାନରେ ଏବଂ ସମୟରେ ଏହିସବୁ ସାମଗ୍ରୀ ପାଇ ପାରିବେ ା

Share