ଓଡ଼ିଶା ସାଉଣ୍ଡ୍‌ ଡିଜାଇନର୍‌ଙ୍କୁ ଫିଲ୍ମଫେୟାର

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସାଉଣ୍ଡ୍‌ ଡିଜାଇନର୍‌ ନୀହାର ରଞ୍ଜନ ସାମଲ। ୬୫ତମ ଫିଲ୍ମଫେୟାର ଆଓ୍ବାର୍ଡରେ ସାଉଣ୍ଡ୍‌ ଡିଜାଇନ୍‌ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ଫିଲ୍ମଫେୟାର-୨୦୨୦ ଆଓ୍ବାର୍ଡ ପାଇବାକୁ ମନୋନୀତ ହୋଇଛନ୍ତି ନୀହାର। ୨୦୧୯ରେ ରିଲିଜ୍‌ ହୋଇଥିବା ବହୁଚର୍ଚ୍ଚିତ ଫିଲ୍ମ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ରେ ସର୍ବୋତ୍କୃଷ୍ଟ ସାଉଣ୍ଡ୍‌ ଡିଜାଇନ୍‌ ଲାଗି ସେ ଏହି ପୁରସ୍କାର ପାଇବେ। ଭିକି କୌଶଲଙ୍କ ଅଭିନୀତ ଏହି ମିଲିଟାରୀ ଆକ୍ସନ ଫିଲ୍ମ ପାଇଁ ନୀହାର ଏବଂ ତାଙ୍କ ସହ କାମ କରିଥିବା ବିଶ୍ୱଦୀପ ଦୀପକ ଚାଟ୍ଟାର୍ଜୀଙ୍କୁ ମିଳିତ ଭାବେ ଏହି ପୁରସ୍କାର ଦିଆଯିବ। ଫେବୃୟାରୀ ୧୫ରେ ଆସାମର ଗୁଆହାଟୀରେ ଆମାଜନ୍‌ ଫିଲ୍ମଫେୟାର ଆଓ୍ବାର୍ଡସ-୨୦୨୦ ଅନୁଷ୍ଠିତ ହେବ। ଏହାପୂର୍ବରୁ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ବୈଷୟିକ ବା ଟେକ୍ନିକାଲ ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି।
ନୀହାର ପୂର୍ବରୁ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ‘ପଦ୍ମାବତ୍‌’ରେ ସାଉଣ୍ଡ୍‌ ଡିଜାଇନର୍‌ ଭାବେ କାମ କରି ଚର୍ଚ୍ଚାକୁ ଆସିଥିଲେ। ଏହାସହ ସେ ‘ବାଜିରାଓ ମସ୍ତାନୀ’, ‘ପିକେ’, ‘ପିଙ୍କ୍‌’, ‘ଥ୍ରୀ ଇଡିୟଟ୍‌ସ’ ଏବଂ ‘ତନୁ ଓ୍ବେଡ୍‌ସ ମନୁ ରିଟର୍ନସ’ ଭଳି ହିଟ୍‌ ଫିଲ୍ମଗୁଡ଼ିକରେ କାମ କରି ବଲିଉଡ୍‌ରେ ଜଣେ ଜଣାଶୁଣା ଚେହେରା ପାଲଟିଛନ୍ତି। କେବଳ ଏତିକି ନୁହେଁ, ୨୦୧୩ରେ ‘ମାଡ୍ରାସ କାଫେ’ ଫିଲ୍ମରେ ଅନ୍‌ ଲୋକେଶନ୍‌ ସାଉଣ୍ଡ୍‌ ରେକର୍ଡିଂ ପାଇଁ ସେ ଶ୍ରେଷ୍ଠ ଅଡିଓଗ୍ରାଫି କାଟାଗୋରିରେ ୬୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ। ଯାଜପୁର ଜିଲାରେ ଜନ୍ମିତ ନୀହାର ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର କରିବା ପରେ ଏଫ୍‌ଟିଆଇଆଇ ପୁଣେରୁ ସାଉଣ୍ଡ୍‌ ଡିଜାଇନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ୧୯୯୯ରେ ଓଡ଼ିଆ ଫିଲ୍ମ ‘କୃଷ୍ଣା କାବେରୀ’ରେ ସେ ସାଉଣ୍ଡ୍‌ ରେକର୍ଡର ଭାବେ କାମ କରିଥିଲେ।

Share