ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିକୁ ନେଇ ଜନସ୍ବାର୍ଥ ମାମଲା: ସରକାରଙ୍କୁ ଜବାବ ତଲବ

କଟକ ଅଫିସ,୨୭ା୬: ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି କରିବାରେ ସରକାରଙ୍କ ଅବହେଳାକୁ ଚ୍ୟାଲେଞ୍ଜ କରି କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏହି ମାମଲାର ବିଚାର କରି ହାଇକୋର୍ଟ ମୁଖ୍ୟ ବିଚାରପତି କେ.ଏସ୍‌. ଝାବେରୀ ଓ ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଜବାବ ତଲବ କରିଛନ୍ତି।
ପିଟିଶନରେ ଦର୍ଶାଯାଇଛି ଯେ, ୱାକଫ ସମ୍ପତ୍ତିର ରକ୍ଷଣାବେକ୍ଷଣ ଓ ସୁପରିଚାଳନା ପାଇଁ ରାଜ୍ୟ ସରକାର ଓଡ଼ିଶା ୱାକଫ୍‌ ବୋର୍ଡ ଗଠନ କରିଛନ୍ତି। ଏହାର ପରିଚାଳନା ଭାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ବିଧି ମୁତାବକ ନ୍ୟସ୍ତ କରାଯାଇଛି। ମାତ୍ର ସୟଦ ମହମ୍ମଦ ଅକ୍‌ଦସ ଯିଏକି ବର୍ତ୍ତମାନ ଓଡ଼ିଶା ହଜ୍‌ କମିଟିର ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ସରକାର ମନମୁଖି ଭାବେ ଓଡ଼ିଶା ୱାକଫ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଅବସ୍ଥାପିତ କରିଛନ୍ତି। ସେ ଦାୟିତ୍ୱ ନେବା ପରେ ୱାକଫ୍‌ ବୋର୍ଡର ସମସ୍ତ କାର୍ଯ୍ୟ ଅଚଳ ହୋଇଛି। ଯାହାଫଳରେ ୱାକଫ୍‌ ସମ୍ପତ୍ତିର ରକ୍ଷଣାବେକ୍ଷଣ ହୋଇ ନ ପାରିବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ବହୁ ଗରିବ ମେଧାବୀ ଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ନିୟମ ଅନୁଯାୟୀ ପୂର୍ବ ବର୍ଷଗୁଡିକରେ ରାଜ୍ୟର ୧୦୦ ମସ୍‌ଜିଦକୁ ୫ହଜାର ଟଙ୍କା ଲେଖାଏ ରକ୍ଷଣାବେକ୍ଷଣ ବାବଦରେ ଦିଆଯାଉଥିଲା ଓ ବହୁ ମେଧାବୀ ଗରିବ ସଂଖ୍ୟାଲଘୁ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ବାର୍ଷିକ ୫ହଜାର ଟଙ୍କା ଲେଖାଏ ମଧ୍ୟ ଦିଆଯାଉଥିଲା। ପ୍ରତ୍ୟେକ ବର୍ଷ ଆରମ୍ଭରୁ ଏ ବାବଦରେ ବଜେଟ୍‌ ପ୍ରସ୍ତୁତ କରାଯାଇ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିଲା ଏବଂ ବାର୍ଷିକ ଅଡିଟ ମଧ୍ୟ କରାଯାଉଥିଲା। ମାତ୍ର ଉପରୋକ୍ତ ବ୍ୟକ୍ତି ଏହି ସଂସ୍ଥା ଦାୟିତ୍ୱରେ ରହିବା ପରେ ୨୦୧୬-୧୭ ଆର୍ଥିକବର୍ଷଠାରୁ ଏ ବାବଦରେ ବଜେଟ୍‌ ପ୍ରସ୍ତୁତ କରାଯାଇନାହିଁ। ସେହିପରି ମସ୍‌ଜିଦଗୁଡ଼ିକୁ ଆର୍ଥିକ ଅନୁଦାନ ଦେବା ଦୂରେଥାଉ ମେଧାବୀ ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ବାବଦରେ ଆର୍ଥିକ ସାହାଯ୍ୟ ମଧ୍ୟ ଦିଆଯାଉନାହିଁ। ବ୍ୟାପକ ଅର୍ଥ ତୋସରପାତ ଅଭିଯୋଗ ଅଣାଗଲେ ହେଁ ସରକାରଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଫଳରେ ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। କଟକ ମହାନଗର ସଂଖ୍ୟାଲଘୁ ନାଗରିକ ପରିଷଦର ସମ୍ପାଦକ ସେକ୍‌ ରହେମତଙ୍କ ପକ୍ଷରୁ ଦାଏର କରାଯାଇଥିବା ମାମଲାକୁ ଆଡଭୋକେଟ କ୍ଷୀରୋଦ ରାଉତ ପରିଚାଳନା କରୁଥିବାବେଳେ ଜୟନ୍ତୀ ନାୟକ, ସୁରେନ୍ଦ୍ର କୁମାର ରାଉତ, ଅନୀଲ କୁମାର ଦଳାଇ ଓ ସରୋଜ କୁମାର ଭୂୟଁା ସହଯୋଗ କରୁଛନ୍ତି।

Share